ବାଂଲାଦେଶରେ ଆରମ୍ଭ ହେଲା ୟୁନୁସ୍ ସରକାର । ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ପଦରୁ ଇସ୍ତଫା ଦେବା ପରେ ଏବେ ଅଶାନ୍ତ ବାଂଲାଦେଶରେ ଗଠନ ହୋଇଛି ଅନ୍ତରୀଣ ସରକାର। ଆଉ ଅନ୍ତରୀଣ ସରକାରର ମୁଖ୍ୟ ଭାବେ ଶପଥ ନେଇଛନ୍ତି ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସ। ବଙ୍ଗଭବନରେ ବାଂଲାଦେଶର ରାଷ୍ଟ୍ରପତି ମହମ୍ମଦ ଶାହବୁଦ୍ଦିନ ତାଙ୍କୁ ଶପଥପାଠ କରାଇଛନ୍ତି। ଦେଶରେ ନୂଆ ସରକାର ପାଇଁ ଏକ ୧୫ ଜଣିଆ ପରାମର୍ଶଦାତା ପରିଷଦ ମଧ୍ୟ ଗଠନ କରାଯାଇଛି । ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ଭାବେ ଶପଥ ନେବା ପରେ ମହମ୍ମଦ ୟୁନୁସ କହିଛନ୍ତି ଯେ ସେ ଦେଶର ସମ୍ବିଧାନକୁ ମାନିବେ ଏବଂ ସର୍ବଦା ଏହାର ସୁରକ୍ଷା କରିବା ସହ ସଚ୍ଚୋଟତାର ସହିତ ତାଙ୍କୁ ଦିଆଯାଇଥିବା ସମସ୍ତ କାର୍ଯ୍ୟ ସଂପାଦନ କରିବେ ବୋଲି ସେ କହିଛନ୍ତି । ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ଭାବେ ଶପଥ ନେବା ପରେ ମହମ୍ମଦ ୟୁନୁସ ଙ୍କୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଛନ୍ତି। ଉଭୟ ଦେଶର ଶାନ୍ତି, ସୁରକ୍ଷା ଓ ବିକାଶକୁ ବଜାୟ ରଖିବାକୁ ଭାରତ ଏବେବି ବାଂଲାଦେଶ ସହିତ ମିଶି କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି। ତେବେ ଶେଖ ହସିନା ବାଂଲାଦେଶ ଛାଡିବା ପରେ ଏବେ କେଉଁ ଦେଶରେ ଶରଣ ନେବେ ତାହା ଏବେ ସ୍ପଷ୍ଟ ହୋଇପାରି ନଥିବା ବେଳେ ସେ ଆଉ କିଛି ଦିନ ପର୍ଯ୍ୟନ୍ତ ଭାରତରେ ଆଶ୍ରୟ ନେବେ ବୋଲି ସୂଚନା ମିଳିଛି।
