ବ୍ଲାକ ରୋଜ୍ ର ଗୁମର ଖୋଲିଲେ ଜେଲ ଯିବେକି ବିଜେଡି ନେତା?

ବ୍ଲାକରୋଜ ଜାହାଜ ବୁଡ଼ିବା ଘଟଣାର ହେବକି ସିବିଆଇ ତଦନ୍ତ ? ସିବିଆଇ ତଦନ୍ତ ନେଇ ଦାବି କରିଛନ୍ତି ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ। ସେ କହିଛନ୍ତି ଯେ,ଏହା ଏକ ଅନ୍ତଃରାଷ୍ଟ୍ରୀୟ ଅପରାଧ ହୋଇଥିବାରୁ ଏହି ମାମଲାର ପୋଲିସ କିମ୍ବା କ୍ରାଇମବ୍ରାଞ୍ଚ୍ ତଦନ୍ତରେ କିଛି ଫଳପ୍ରଦ ହୋଇପାରିବ ନାହିଁ । ତେଣୁ ଏହାର ତଦନ୍ତ ଭାର ସିବିଆଇ କୁ ଦିଆଯିବା ଉଚିତ୍ ବୋଲି ପ୍ରଦୀପ କହିଛନ୍ତି। ପୂର୍ବରୁ ହାଇକୋର୍ଟରେ ସିବିଆଇ ତଦନ୍ତ ପାଇଁ ଦୁଇଟି ଆବେଦନର ଶୁଣାଣି ଚାଲିଥିବାବେଳେ ରାଜ୍ୟ ସରକାର କୋଣସି ପ୍ରକାର ସହଯୋଗ ନ କରିବାରୁ ତଦନ୍ତ ଆଉ ଆଗେଇ ପାରିଲା ନାହିଁ ବୋଲି ସିବିଆଇ ସୂଚନା ଅଧିକାର ଆଇନରେ ଦର୍ଶାଇଥିଲା।

ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ପୁଣି ଥରେ ୨୦୨୩ ଅଗଷ୍ଟ ୩୦ରେ ହାଇକୋର୍ଟରେ ମାମଲା କଲା ପରେ ଗତ ଏପ୍ରିଲ ୧୫ ତାରିଖର ଶୁଣାଣିରେ ଜାହାଜ ଚଳାଚଳ ମନ୍ତ୍ରଣାଳୟ, ପାରାଦୀପ ପୋର୍ଟ ଟ୍ରଷ୍ଟ ଓ ସିବିଆଇ ଏହାର ତଦନ୍ତ ପାଇଁ ସମ୍ମତି ଜଣାଇଛନ୍ତି। ସେତେବେଳେ ରାଜ୍ୟରେ ବିଜେଡିର ସରକାର ଥିବାରୁ ରାଜ୍ୟ ସରକାର ସିବିଆଇ ତଦନ୍ତ ପାଇଁ ଅନୁମତି ଦେଇନଥିବା ଅଭିଯୋଗ ହୋଇଛି। ଏବେ ରାଜ୍ୟରେ ବିଜେପି ସରକାର ଥିବାରୁ ତୁରନ୍ତ ସିବିଆଇ ତଦନ୍ତ ପାଇଁ ଅନୁମତି ଦିଅନ୍ତୁ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି ଓଡ଼ିଶା ସୂଚନା ଅଧିକାର ଅଭିଯାନର ଆବାହକ ପ୍ରଦୀପ ପ୍ରଧାନ।

ଗତ ୨୦୦୯ ସେପ୍ଟେମ୍ବର ୯ ତାରିଖ। ପାରାଦୀପ ବନ୍ଦରର ୫ କିମି ଦୂରରେ ବୁଡ଼ିଯାଇଥିଲା ବ୍ଲାକ ରୋଜ୍ ଜାହାଜ। ଓଡ଼ିଶାରେ ବେଆଇନ ଭାବେ ଲୁହାପଥର ଚୋରା ଚାଲାଣ ବଢ଼ିଥିବା ବେଳେ ଏହି ଜାହାଜରେ ଓଡ଼ିଶାରୁ ଚୀନକୁ ଯାଉଥିଲା ଚୋରା ଲୁହାପଥର। ଜାହାଜରେ ବେଆଇନ ଭାବରେ ୨୩,୮୪୩ ଟନ୍ ଚୋରା ଲୁହାପଥର ଚାଲାଣ ହେଉଥିଲା | ସେତେବେଳେ ଜାହାଜରେ ଲହୁାପଥର ବୋହୁଥିବା ଓଡ଼ିଶାର ଦୁଇ କମ୍ପାନୀ ଥିଲେ ଏ ବି ମିନେରାଲ୍ସ ଆଣ୍ଡ୍ ରିସୋର୍ସେସ୍ ଏବଂ ରେକଟର ମାଇନ୍ସ। ଜାହାଜରେ ଚୋରା ଚାଲାଣ ବେଳେ ବୁଡ଼ି ଯାଇଥିବା ଜାହାଜରୁ ସମୁଦ୍ର ପାଣିରେ ମିଶିଯାଇଥିଲା ଜାହାଜର ଇନ୍ଧନ । ଜାହାଜ ବୁଡିଯିବା ଫଳରେ ଚୋରା ଚାଲାଣକାରୀ ଖସିଯାଇଥିଲେ | ସାମୁଦ୍ରିକ ପରିବେଶ ପ୍ରତି ବିପଦ ସୃଷ୍ଟି ହେବାରୁ ପାରାଦୀପ ପୋର୍ଟ ଟ୍ରଷ୍ଟ ସମୁଦ୍ରରୁ ତେଲ କାଢ଼ିବାରେ ପ୍ରାୟ ୧୭.୬୫ କୋଟି ଟଙ୍କା ଖର୍ଚ୍ଚ କରିଥିଲା। ସେତେବେଳେ ଏହି ଚୋରା ଲୁହାପଥର ଚାଲାଣ ପଛରେ ଶାସକ ବିଜେଡି ଦଳର ଲୋକ ଥିଲେ ବୋଲି ବିରୋଧୀ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ତଦନ୍ତ ନହେବାରୁ ଲୁହାପଥର ଚୋରା ଚାଲାଣକାରୀ ଦଣ୍ଡ ପାଇନଥିଲେ ।

Leave a Reply

Your email address will not be published. Required fields are marked *