ଆଜିଠାରୁ ୪ଦିନ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ | ଆସନ୍ତାକାଲି ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି ନୀତି ଆୟୋଗର ବୈଠକ | ତେଣୁ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କର ଯୋଗଦେବାର କାର୍ଯ୍ୟକ୍ରମ ରହିଛି | ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ମଧ୍ୟ ନୀତି ଆୟୋଗ ବୈଠକରେ ଯୋଗ ଦେବେ । ନୀତି ଆୟୋଗ ବୈଠକ ପରେ ବିଜେପିର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କୁ ନେଇ ଏକ ବୈଠକ ମଧ୍ୟ ରହିଛି। ଏହାଛଡା ରାଜ୍ଯର ବିଭିନ୍ନ ପ୍ରସଙ୍ଗକୁ ନେଇ କେନ୍ଦ୍ରମନ୍ତ୍ରୀ ମାନଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ | ଗତ ୨୩ ତାରିଖରେ ଲୋକସଭାରେ ଆଗତ ହୋଇଥିବା ସାଧାରଣ ବଜେଟ୍ରେ ବିଜେପି ଶାସିତ ରାଜ୍ୟ ଗୁଡିକୁ ପ୍ରାଧାନ୍ୟ ଦେଇ ଅଣ ବିଜେପି ଶାସିତ ରାଜ୍ୟଗୁଡ଼ିକୁ ଅଣଦେଖା କରାଯାଇଥିବାରୁ ଏଥିରେ ରାଗି ଯାଇ ଇଣ୍ଡିଆ ମିଳିତ ମଞ୍ଚର ଦଳଗୁଡିକ ନୀତି ଆୟୋଗ ବୈଠକକୁ ବହିଷ୍କାର କରିବାକୁ ଘୋଷଣା କରିଥିଲେ | ଅତିକମ୍ରେ ଚାରୋଟି ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ନୀତି ଆୟୋଗ ବୈଠକ ଯିବେନି ବୋଲି ସ୍ପଷ୍ଠ କରିଛନ୍ତି । ସେଥିମଧ୍ୟରୁ କଂଗ୍ରେସ ଶାସିତ ରାଜ୍ୟର ତିନିଜଣ ମୁଖ୍ୟମନ୍ତ୍ରୀ ଥିବା ଜଣାଯାଇଛି। ଇଣ୍ଡିଆ ମେଣ୍ଟର ପ୍ରମୁଖ ସହଯୋଗୀ ଡିଏମ୍କେ ସୁପ୍ରିମୋ ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍ ରାଜ୍ୟ ପ୍ରତି ହୋଇଥିବା ଅନ୍ୟାୟ ବିରୋଧରେ ପୂର୍ବରୁ ହିଁ ନୀତି ଆୟୋଗ ବୈଠକକୁ ବହିସ୍କାର ଘୋଷଣା କରିସାରିଛନ୍ତି। ଏହାସହିତ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଇଣ୍ଡିଆ ମେଣ୍ଟର ନେତା ମାନଙ୍କ ସହିତ ଏକ ବୈଠକ ବସିଥିଲା। ଏହି ବୈଠକରେ ଆଗତ ହୋଇଥିବା ବଜେଟ ଉପରେ ଚର୍ଚ୍ଚା ହୋଇଥିଲା। ବଜେଟ ରେ ଅଣ ବିଜେପି ଶାସିତ ରାଜ୍ୟ ପ୍ରତି ଭେଦଭାବ କରାଯାଥିବା ନେଇ ବିରୋଧୀ ମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଏଥିସହ ଇଣ୍ଡିଆ ମେଣ୍ଟର ସମସ୍ତ ମୁଖ୍ୟମନ୍ତ୍ରୀ ମାନେ ମଧ୍ୟ ନୀତି ଆୟୋଗର ବୈଠକକୁ ବହିଷ୍କାର କରିବାକୁ ଘୋଷଣା କରିଥିଲେ।
