ଗଜପତି ଜିଲ୍ଲାରେ ଅମଳ ହେଉଥିବା ପରିବା , ଅଦା , ତେନ୍ତୁଳି , ପଣସ , ସପୁରି ଓ ବାହାରୁ ଆମଦାନି କରାଯାଉଥିବା ଆଳୁକୁ ଶୀତଳ ଭଣ୍ଡାରରେ ରଖି ବଜାରରେ ଆବଶ୍ୟକ ଅନୁସାରେ ନିୟନ୍ତ୍ରଣ କରିବା ସହ ଚାଷୀଙ୍କ ସୁବିଧା ପାଇଁ ନିହାତୀ ଆବଶ୍ୟକ ଶୀତଳ ଭଣ୍ଡାର। କିନ୍ତୁ ଜିଲ୍ଲାରେ ଗୋଟିଏ ବି ଶୀତଳ ଭଣ୍ଡାର ନାହଁ , ସେଥିପାଇଁ ଚାଷୀ ଓ ବ୍ୟବସାୟୀ ଉଭୟ କ୍ଷତି ସହୁଥିବା ବେଳେ ଖାଉଟି ମଧ୍ୟ ପ୍ରଭାବିତ ହେଉଛନ୍ତି। ବିଭିନ୍ନ ସଂଗଠନ, ସାମାଜିକ କର୍ମୀ, ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ଚାଷୀ ଗୁହାରି କରି ସମସ୍ତେ ବିଫଳ।

ଦୀର୍ଘ ବର୍ଷ ପରେ ବି ଗୋଟିଏ ଶୀତଳ ଭଣ୍ଡାର ନିର୍ମାଣ କରିପାରିଲେ ନାହଁ ପୂର୍ବ ସରକାର। ଆଉ ବର୍ତ୍ତମାନର ସରକାର କିଛି ଦିନ ପୂର୍ବେ ସମସ୍ତ ଜିଲ୍ଲାରେ ଶୀତଳ ଭଣ୍ଡାର ନିର୍ମାଣ କରିବା ପାଇଁ ଘୋଷଣା ମଧ୍ୟ କରିଥିଲେ। ତାହା ଏବେ ପର୍ଯ୍ୟନ୍ତ କାର୍ଯ୍ୟକାରି କରାଯାଇନାହିଁ।
୧୯୬୫ ମସିହାରୁ ନିର୍ମାଣ କରାଯାଇଥିବା ଜିଲ୍ଲାର ଏକ ମାତ୍ର ଶୀତଳ ଭଣ୍ଡାର ୧୯୯୦ ମସିହାରୁ ବନ୍ଦହୋଇ ପଡିରହିଛି। ଚାଷୀଙ୍କ ଉଦେଶ୍ୟରେ ନିର୍ମାଣ କରାଯାଇଥିବା ଶୀତଳ ଭଣ୍ଡାର ରକ୍ଷଣ ବେକ୍ଷଣ ଅଭାବରୁ ଅଚଳ ହେବାପରେ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିନି।ପୂର୍ବରୁ କୃଷି ବିଭାଗ ଅଧୀନରେ ଥିବା ଏହି ଶୀତଳ ଭଣ୍ଡାରକୁ ୧୯୭୧ ମସିହାରେ ଉଦ୍ୟାନ ବିଭାଗକୁ ହସ୍ତାନ୍ତର କରିବା ପରେ ୧୯୯୦ ମସିହାରେ କିଛି ତୃଟି ଦେଖାଇ ବନ୍ଦ କରି ଦିଆ ଯାଇଥିଲା। ବହୁ ଦାବି ଓ ଆନ୍ଦୋଳନ ପରେ ୨୦୧୩ ମସିହାରେ କଲିକତାର ଏକ ଟେକିନକାଲ ଟିମ ପରିଦର୍ଶନ କରି ତାର ମରାମତି ପାଇଁ ଏକ କୋଟି ଟଙ୍କାର ବ୍ୟୟ ବରାତ କରିଥିଲେ। କିନ୍ତୁ ସରକାର ତାକୁ କାର୍ଯ୍ୟକ୍ଷମ କରିବା ବଦଳରେ ନୁତନ ଜ୍ଞାନ କୈାଶଳରେ ଆଉ ଏକ ନୂତନ ଶୀତଳ ଭଣ୍ଡାର ତିଆରି କରାଗଲେ କମ ବ୍ୟୟରେ ହୋଇ ପାରିବ ବୋଲି କହି ସ୍ଥଗିତ ରଖିଲେ। ତେବେ ସେହି ଶୀତଳ ଭଣ୍ଡାର ଏବେ ପରତ୍ୟକ୍ତ ଅବସ୍ଥାରେ,ଯନ୍ତ୍ର ସବୁ କଳଙ୍କି ଲାଗି ନଷ୍ଟ ହୋଇ ଯାଇଥିବା ବେଳେ କୋଠା ସମ୍ପୃର୍ଣ୍ଣ ନଷ୍ଟ ହେବାରେ ଲାଗିଛି । ତେବେ ସରକାରଙ୍କ ଏଥିପ୍ରତି କେବେ ଦୃଷ୍ଟି ପଡୁଛି ଆଉ ନୁତନ ଶୀତଳଭଣ୍ଡାର କେବେ ନିର୍ମାଣ ହେଉଛି ତାହା ଆଗାମୀ ଦିନରେ ସମୟକୁ ଅପେକ୍ଷା।