କୋଲକାତା, ୦୮/୦୮: ଆରପାରିରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସିପିଏମ ନେତା ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ | ଦୀର୍ଘ ଦିନର ଅସୁସ୍ଥତା ପରେ ଗୁରୁବାର ସକାଳେ କୋଲକାତାରେ ଶେଷ ନିଶ୍ୱାସ ତ୍ୟାଗ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ। ୮୦ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳ ୮ଟା ୨୦ ମିନିଟ୍ରେ ତାଙ୍କ ପରଲୋକ ହୋଇଛି।
ବଙ୍ଗଳାରେ ୩୪ବର୍ଷ ବାମପନ୍ଥୀ ଶାସନ କାଳରେ ଭଟ୍ଟାଚାର୍ଯ୍ୟ ଦ୍ବିତୀୟ ଏବଂ ଶେଷ ସିପିଏମ ମୁଖ୍ୟମନ୍ତ୍ରୀ ଯିଏକି ୨୦୦୦ରୁ ୨୦୧୧ ପର୍ଯ୍ୟନ୍ତ କ୍ରମାଗତ ୧୧ବର୍ଷ କାର୍ଯ୍ୟ କରିଥିଲେ। ଜୁଲାଇ ୨୯, ୨୦୨୩ରେ ଭଟ୍ଟାଚାର୍ଯ୍ୟଙ୍କୁ ଆଲିପୋରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏକାଧିକ ରୋଗ ସହ ସେ ନିମୋନିଆରେ ଚିକିତ୍ସିତ ହେଉଥିଲେ। ଏବଂ ତାଙ୍କୁ ଭେଣ୍ଟିଲେସନରେ ରଖାଯାଇଥିଲା। ବାର୍ଦ୍ଧକ୍ୟଜନିତ ରୋଗରେ ମଧ୍ୟ ପୀଡ଼ିତ ଥିଲେ।
ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ଜନ୍ମ ୧୯୪୪ ମସିହା ମାର୍ଚ୍ଚ ମାସରେ ଉତ୍ତର କୋଲକତାରେ ହୋଇଥିଲା। ସେ କୋଲକତାର ପ୍ରତିଷ୍ଠିତ ପ୍ରସିଡେନ୍ସି କଲେଜରୁ ବଙ୍ଗାଳି ସାହିତ୍ୟରେ ଅନର୍ସ ଡିଗ୍ରୀ ହାସଲ କରିଥିଲେ। ଏହାପରେ ସେ ସିପିଆଇ(ଏମ୍)ରେ ସାମିଲ ହୋଇଥିଲେ। ଏଥିସହ ସେ ସିପିଆଇର ଯୁବା ଶାଖା ଡେମୋକ୍ରାଟିକ୍ ୟୁଥ ଫେଡେରେସନର ରାଜ୍ୟ ସଚିବ ପଦ ସମ୍ଭାଳିଥିଲେ। ଏହାପରେ ଡେମୋକ୍ରାଟିକ୍ ୟୁଥ ଫେଡେରେସନର ବିଲୟ ହୋଇଥିଲା।