କୋଲକାତା : ବର୍ତ୍ତମାନ ମମତା ବାନାର୍ଜୀଙ୍କ ଗଡ଼ରେ ଚାଲିଛି ମହା ବିକ୍ଷୋଭ। ଦୁଷ୍କର୍ମ ଓ ହତ୍ୟା ପୀଡ଼ିତାଙ୍କୁ ନ୍ୟାୟ, ଅଭିଯୁକ୍ତକୁ ମୃତ୍ୟୁ ଦଣ୍ଡ ଓ ମମତାଙ୍କ ଇସ୍ତଫା ଭଳି ତିନୋଟି ଦାବି ନେଇ ରାଜ ରାସ୍ତାକୁ ଓହ୍ଲାଇ ଛାତ୍ର ସଂଗଠନ। ଅଭୟାଙ୍କୁ ନ୍ୟାୟ ଦେବାକୁ ଛାତ୍ର ସଂଗଠନର ବିଶାଳ ଆନ୍ଦୋଳନ ବେଳେ ପୁଲିସ ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଆନ୍ଦୋଳନକାରୀମାନେ ବ୍ୟାରିକେଡ୍ ଡେଇଁ ଧସେଇ ପଶିବାକୁ ଉଦ୍ୟମ କରିଛନ୍ତି। ବିକ୍ଷୋଭକାରୀ ମାନଙ୍କୁ ମୁକାବିଲା ଲାଗି ସମସ୍ତ ପ୍ରକାର ଶକ୍ତି ଲଗାଇ ଦେଇଛନ୍ତି ମମତା ସରକାର। ସେମାନଙ୍କୁ ଅଟକାଇବା ପାଇଁ ପୁଲିସ ଲାଠି ଚାର୍ଜ କରିଛି। ଏହାସହିତ ପାଣି ମାଡ଼ କରିବା ସହ ଲୁହ ବୁହା ଗ୍ୟାସ୍ ମଧ୍ୟ ସେମାନଙ୍କ ଉପରେ ପ୍ରୟୋଗ କରିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଫିସ୍ ‘ନବାନ୍ନ’ ବାହାରେ ବ୍ୟାପକ ସଂଖ୍ୟାରେ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଛାତ୍ର ସଂଗଠନକୁ ଅଟକାଇବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାରିକେଡ୍ ସାଙ୍ଗକୁ, ଲୁହା, ବାଉଁଶ ଏବଂ ବଡ଼ ବଡ଼ କଣ୍ଟେନର ରାସ୍ତା ଉପରେ ରଖି ସିଲ୍ କରାଯାଇଛି।
