ହରିୟାଣା : ଚଳିତ ପ୍ୟାରିସ ଅଲିମ୍ପିକ୍ସର ଫାଇନାଲରେ ଅଯୋଗ୍ୟ ଘୋଷିତ ହେବାପରେ କୁସ୍ତିରୁ ସବୁଦିନ ପାଇଁ ସନ୍ୟାସ ଘୋଷଣା କରି ରାଜନୀତି ମୈଦାନକୁ ଏଣ୍ଟ୍ରି କରିଛନ୍ତି ଷ୍ଟାର ରେସଲର ଭିନେଶ ଫୋଗଟ । କଂଗ୍ରେସରେ ମିଶିବା ସହିତ ଦଳ ତାଙ୍କୁ ହରିୟାଣାର ଜୁଲାନା ଆସନରୁ ଟିକେଟ ଦେଇଛି । କିନ୍ତୁ ଭିନେଶଙ୍କ କୁସ୍ତି କୋଚ୍ ମହାବୀର ଫୋଗଟ, ଭିନେଶଙ୍କ ଏହି ନିଷ୍ପତ୍ତିରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଆସନ୍ତା ୨୦୨୮ ଅଲିମ୍ପିକ୍ସ ଶେଷ ପର୍ଯ୍ୟନ୍ତ ଏହି ନିଷ୍ପତ୍ତି ଘୁଞ୍ଚାଇବା ସହିତ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିବାକୁ ଭିନେଶ ଲକ୍ଷ୍ୟ ରଖିଥିଲେ ଉଚିତ୍ ହୋଇଥାନ୍ତା । କୁସ୍ତିରେ ଭିନେଶଙ୍କ ସଫଳତାକୁ ପ୍ରଶଂସା କରିବା ସହ କୋଚ୍ ମହାବୀର ଫୋଗଟ କହିଛନ୍ତି, ଯେ ସମସ୍ତ ଦେଶବାସୀ ଭିନେଶଙ୍କ ଠାରୁ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଆଶା କରିଥିଲେ । ମାତ୍ର ସେ ବହୁତ ଶୀଘ୍ର କୁସ୍ତିକୁ ଛାଡି ରାଜନୀତିକୁ ବାଛିନେଲେ । ଦ୍ରୋଣାଚାର୍ଯ୍ୟ ଆୱାର୍ଡ ବିଜେତା ମହାବୀର ଫୋଗଟ ଆହୁରି ମଧ୍ୟ କହିଛନ୍ତି, ରାଜନୀତିରେ ମିଶିବା ନିଷ୍ପତ୍ତି ବିଷୟରେ ଭିନେଶ ଆଗରୁ ତାଙ୍କୁ କେବେ ଜଣାଇନାହାନ୍ତି କିମ୍ବା ତାଙ୍କ ସହ ଏ ସମ୍ପର୍କରେ କେବେ ଆଲୋଚନା ମଧ୍ୟ କରିନାହାନ୍ତି । ମୋ ସହ ସମସ୍ତ ଭାରତୀୟ ମାନେ ମଧ୍ୟ ଭିନେଶଙ୍କ ଠାରୁ ସ୍ୱର୍ଣ୍ଣ ପଦକ ଆଶା ରଖିଥିଲେ । ମାତ୍ର ସେ ଶୀଘ୍ର ରାଜନୀତି କରିବାକୁ ନିଷ୍ପତ୍ତି ନେବାପରେ ସମସ୍ତେ ଏବେ ମର୍ମାହତ ହୋଇପଡିଥିବା ସେ କହିଛନ୍ତି ।
