ଭୁବନେଶ୍ୱର, ୧୭/୦୯: ଘଟିଲା ବହୁ ପ୍ରତିକ୍ଷାର ଅନ୍ତ । ମହିଳାମାନଙ୍କ ପାଇଁ ଆସିଲା ଖୁସି ଖବର । ମହିଳାମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ଗଲା ସୁଭଦ୍ରା ଯୋଜନାର ଟଙ୍କା । ନିଜ ଜନ୍ମଦିନରେ ଓଡିଶା ଆସି ମାଆମାନଙ୍କୁ ଜନ୍ମଦିନରେ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ l ସୁଭଦ୍ରା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ପରିପ୍ରେକ୍ଷୀରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ଯାଇଛି l ଏଥିପାଇଁ ରାଜଧାନୀର ଜନତା ମୈଦାନରେ କରାଯାଇଥିଲା ଭବ୍ୟ ଆୟୋଜନ।
ପ୍ରଧାନମନ୍ତ୍ରୀ ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚି ସିଧା ଗାଡ଼କଣ ଗାଁକୁ ଯାଇଥିଲେ । ସେଠାରେ ଗାଡକଣ ଗାଁରେ ପିଏମ୍ ଆବାସ ହିତାଧୀକାରୀଙ୍କ ସହ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି। ଏହାସହ ଗୋଠପାଟଣା ସ୍ପୋର୍ଟସ ଭ୍ୟାଲିର ବି ଶିଳାନ୍ୟାସ କରିଥିଲେ ମୋଦି। ପ୍ରଧାନମନ୍ତ୍ରୀ ୧୦ ଲକ୍ଷ ପିଏମ୍ ଆବାସ ଗ୍ରାମୀଣ ହିତାଧିକାରୀଙ୍କୁ ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରିଛନ୍ତି । ଏହି ଅବସରରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ କନକ ବର୍ଦ୍ଧନ ସିଂ ଦେଓ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଭାଜପା ନେତୃବୃନ୍ଦ ପ୍ରମୁଖ ଯୋଗ ଦେଇଥିଲେ l
ଆଜି ପ୍ରଧାନମନ୍ତ୍ରୀ ମୋଦି ୭୪ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୫୦ ମସିହା ସେପ୍ଟେମ୍ବର ୧୭ ତାରିଖରେ ଗୁଜରାଟର ଭାଡନଗରରେ ଜନ୍ମ ଗ୍ରହଣ କରିଥିଲେ। ୨୦୦୧ରୁ ୨୦୧୪ ଯାଏଁ ଗୁଜରାଟର ମୁଖ୍ୟମନ୍ତ୍ରୀ ପରେ ୨୦୧୪ରୁ ଲଗାତାର ତିନି ଥର ସବୁଠୁ ପପୁଲାର୍ ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି। ପୂର୍ବ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ରେକର୍ଡ ସହ ସମକକ୍ଷ ହୋଇପାରିଛନ୍ତି ମୋଦି। ଉତ୍ତରପ୍ରଦେଶର ବାରାଣସୀ ସଂସଦୀୟ କ୍ଷେତ୍ରରୁ ଲଗାତାର ତିନିଥର ନିର୍ବାଚିତ ହୋଇ ଅଣକଂଗ୍ରେସ ପ୍ରଧାନମନ୍ତ୍ରୀ ଭାବେ ଲମ୍ବା ସମୟ ଯାଏ କାର୍ଯ୍ୟ କରିବାରେ ମୋଦି ହେଉଛନ୍ତି ପ୍ରଥମ। ୨୦୦୧ରୁ ୨୦୧୪ ଯାଏ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଲମ୍ବା ସମୟ ଯାଏ ସେ କାର୍ଯ୍ୟ କରିଛନ୍ତି।