ଆସନ୍ତା ନଭେମ୍ବର ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଏହାପୂର୍ବରୁ ଆଜି ରିପବ୍ଲିକାନ୍ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଛି | ଡୋନାଲ୍ଡ ଟ୍ରମ୍ପ କୁ ପୁଣିଥରେ ରାଷ୍ଟ୍ରପତି ପ୍ରାର୍ଥୀ ରୂପରେ ଘୋଷଣା କରିଛି ଦଳ |। ମିଲୱକୀଠାରେ ଅନୁଷ୍ଠିତ ଦଳର ଜାତୀୟ ସମାରୋହରେ ତାଙ୍କ ନାଁରେ ପୁଣି ଏଥର ମୋହର ବାଜିଛି। ଟ୍ରମ୍ପଙ୍କ ଉପରେ ପୁଣି ଥରେ ଭରସା କରିଛି ରିପବ୍ଲିକାନ ପାର୍ଟି।
ଗୁଳିମାଡ କରି ହତ୍ୟା ଉଦ୍ୟମ ପରେ ପ୍ରଥମ ଥର ଲୋକଙ୍କ ସାମନାକୁ ଆସିଛନ୍ତି ଟ୍ରମ୍ପ। କାନରେ ବ୍ୟାଣ୍ଡେଜ୍ ବନ୍ଧା ହୋଇଥିବା ଅବସ୍ଥାରେ ତାଙ୍କୁ ଦେଖିବାକୁ ମିଳିଥିଲା । ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ହେବାପରେ ପୁଣି ଥରେ ହ୍ୱାଇଟ୍ ହାଉସକୁ ଫେରିବାକୁ ଦୃଢ ଆଶାବାଦୀ ଅଛନ୍ତି ଟ୍ରମ୍ପ। ଏଥିସହ ରିପବ୍ଲିକାନ୍ ପାର୍ଟି ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାଁ ମଧ୍ୟ ଘୋଷଣା କରିଛି । ୩୯ ବର୍ଷୀୟ ଓହିଓ ସିନେଟର ଜେଡି ଭାନ୍ସଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ରୂପେ ଘୋଷଣା କରାଯାଇଛି। ପୁଣିଥରେ ଆମେରିକାକୁ ମହାନ କରିବା ବୋଲି ଟ୍ରମ୍ପ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି। ଲଗାତାର ତୃତୀୟ ଥର ପାଇଁ ସେ ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ୨୦୧୬ରେ ସେ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିଲେ। ଏହାପରେ ୨୦୨୦ରେ ଜୋ ବାଇଡେନଙ୍କଠାରୁ ନିର୍ବାଚନରେ ହାରି ଯାଇଥିଲେ ଟ୍ରମ୍ପ। ଏଥର ପୁଣି ଥରେ ସେ ରାଷ୍ଟ୍ରପତି ପ୍ରାର୍ଥୀ ହୋଇ ନିର୍ବାଚନ ମଇଦାନକୁ ଓହ୍ଲାୁଇଛନ୍ତି।