ଜଗତର ନାଥ ଶ୍ରୀଜଗନ୍ନାଥଙ୍କର ବାରମାସରେ ତେରପର୍ବ । ଆଉ ଦୈନନ୍ଦିନ ନୀତିକାନ୍ତି ବି ଅନେକ ପ୍ରକାରର। ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ହେବ ବନକଲାଗି। ଏହି ନୀତି ପାଇଁ ଶ୍ରୀମନ୍ଦିରରେ ୩ ଘଣ୍ଟା ପାଇଁ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରହିବ। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ସନ୍ଧ୍ୟା ୬ରୁ ରାତି ୯ଟା ଯାଏ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏହି ସମୟରେ ଦତ୍ତମହାପାତ୍ର ସେବକ ମାନେ ଶ୍ରୀଜୀଉଙ୍କ ଶ୍ରୀମୁଖ ସିଂହାର କରିବେ। ରଥଯାତ୍ରା ପରେ ଆଜି ହେଉଛି ପ୍ରଥମ ବନକଲାଗି ନୀତି। ପ୍ରାକୃତିକ ରଙ୍ଗ ହିଙ୍ଗୁଳା, ହରିତାଳ, ଧଳା ଓ କଳା ରଙ୍ଗରେ ଦତ୍ତମହାପାତ୍ର ସେବକ ମାନେ ବନକଲାଗି କରାଇବେ। ଶ୍ରୀଜିଉ ଙ୍କ ପାଖରେ ଲାଗି ହେଉଥିବା ବନକଲାଗି ନୀତି ହେଉଛି ଏକ ସାପ୍ତାହିକ ନୀତି । ବନକଲାଗିର ଅର୍ଥ ହେଉଛି ମୁଖ ଶୃଙ୍ଗାର ବା ମୁଖ ସଜ୍ଜା । ରତ୍ନ ସିଂହାସନ ଉପରେ ବିରାଜମାନ ହୋଇଥିବା ପ୍ରଭୁ ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଓ ପ୍ରଭୁ ଶ୍ରୀବଳଭଦ୍ରଙ୍କର ମୁଖର ଦୀପ୍ତିକୁ ବଢ଼ାଇବା ପାଇଁ ହୋଇଥାଏ ଏହି ବନକଲାଗି ନୀତି। ଏହି ନୀତିରେ ଦତ୍ତ ମହାପାତ୍ର ସେବକମାନେ ଗର୍ଭଗୃହରେ ପ୍ରବେଶ କରି ଶ୍ରୀବିଗ୍ରହମାନଙ୍କ ମୁଖକୁ ସୁନ୍ଦର ଭାବେ ସଜାଇ ଥାଆନ୍ତି । ଏଥିପାଇଁ ଦତ୍ତ ମହାପାତ୍ର ସେବକମାନଙ୍କୁ ପ୍ରାୟ ୪ ଘଣ୍ଟା ସମୟ ଲାଗିଥାଏ।
ପ୍ରାକୃତିକ ରଙ୍ଗରେ ପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ମୁଖମଣ୍ଡଳକୁ ସଜ୍ଜିତ କରାଯାଇ ଥାଏ । ମୁଖ୍ୟତଃ ହିଙ୍ଗୁଳା ଓ ହରିତାଳ ବନକ ଲାଗି ନୀତିରେ ବ୍ୟବହୃତ ହୁଏ। ସାଧାରଣତଃ ହିଙ୍ଗୁଳା ହେଉଛି ହଳଦିଆ ରଙ୍ଗ ଏବଂ ହରିତାଳ ହେଉଛି ଲାଲ ରଂଗ । ଏହାକୁ ଅତ୍ୟନ୍ତ ପ୍ରାକୃତିକ ଉପାୟରେ ପ୍ରସ୍ତୁତ କରାଯାଇଥାଏ । ତିନି ଠାକୁରଙ୍କ ମୁଖର ରଙ୍ଗ ଅନୁସାରେ ହିଙ୍ଗୁଳା ଏବଂ ହରିତାଳର ବ୍ୟବହାର ହୋଇଥାଏ। ସେହିପରି ଧଳା ରଂଗ ପାଇଁ ଶଙ୍ଖ ଘୋରା ଏବଂ କଳା ରଂଗ ପାଇଁ ଦୀପ କଳା ବ୍ୟବହାର କରାଯାଇଥାଏ। ମହାପ୍ରଭୁଙ୍କ ଆଖିରେ ଏହି ଦୁଇ ପ୍ରକାରର ସାମଗ୍ରୀ ଶଙ୍ଖ ଘୋରା ଓ ଦୀପ କଳା ଲଗାଯାଇଥିବା ବେଳେ ଓଠରେ ଲଗାଯାଇଥାଏ ହରିତାଳ। ସେହିପରି ଦେବୀ ସୁଭଦ୍ରା ଏବଂ ପ୍ରଭୁ ଶ୍ରୀବଳଭଦ୍ରଙ୍କ ମୁଖରେ ହଳଦିଆ ରଙ୍ଗ ପାଇଁ ହିଙ୍ଗୁଳା ବ୍ୟବହାର କରାଯାଇଥାଏ। ହିଙ୍ଗୁଳା, ହରିତାଳ, ଶଙ୍ଖ ଘୋରା ଓ ଦୀପ କଳା ସହ ଚନ୍ଦନ, କର୍ପୁର ଓ କସ୍ତୁରୀ ମଧ୍ୟ ମିଶାଯାଇଥାଏ । ଫଳରେ ଏହା ଅତି ସୁଗନ୍ଧିତ ହୋଇଥାଏ । ପ୍ରତ୍ୟେକ ସାମଗ୍ରୀ ରୁପା ଷଡ଼େଇରେ ରଖି ଗୋଳାଯିବା ପରେ ଶ୍ରୀବିଗ୍ରହମାନଙ୍କ ମୁଖ ଶୃଙ୍ଗାର କରାଯାଇଥାଏ । ଦତ୍ତ ମହାପାତ୍ର ସେବାୟତଙ୍କୁ ଏହି ସବୁ ସାମଗ୍ରୀ ଯୋଗାଇ ଦେଇଥାଏ ଶ୍ରୀମନ୍ଦିର ପ୍ରଶାସନ ।
