ବିହାର : ଉଦ୍ଘାଟନ ପୂର୍ବରୁ ପୁଣି ଟ୍ରେନ ଉପରକୁ ପଥର ମାଡ଼ କଲେ ଦୁର୍ବୁତ୍ତ। ଆସନ୍ତା ୧୫ ତାରିଖରେ ବନ୍ଦେ ଭାରତ ଟ୍ରେନ୍ର ଉଦ୍ଘାଟନ ଥିଲା କିନ୍ତୁ ଆଜି ଏହାର ଟ୍ରାଏଲ୍ ରନ୍ ଚାଲୁଥିବା ବେଳେ ଏହା ଉପରେ ପଥର ମାଡ଼ ହୋଇଥିବା ସୂଚନା ମିଳିଛି। ଏଭଳି ଏକ ଘଟଣା ବିହାରରେ ଘଟିଥିବା ଦେଖିବାକୁ ମିଳିଛି। ଟ୍ରେନ୍ଟି ଜାମସେଦପୁର ଟାଟାରୁ ବାହାରି ଗୋମୋସ୍ଥିତ ନେତାଜୀ ସୁବାସ ଚନ୍ଦ୍ର ବୋଷ ଜଙ୍କସନ୍ ହୋଇ ଗୟା ଅଭିମୁଖେ ଯାତ୍ରା କରୁଥିଲେ। ଟ୍ରେନ୍ଟି ବନ୍ଧୁଆ ଓ ଟନକୁପ୍ପା ଷ୍ଟେସନ ମଝିରେ ଥିବାବେଳେ କିଛି ଦୁର୍ବୁତ୍ତ ଟ୍ରେନ୍ ଉପରେ ଆଖିବୁଜା ପଥରମାଡ଼ କରିଥିଲେ। ଏଥିରେ ଟ୍ରେନ୍ର ବିଭିନ୍ନ ସ୍ଥାନରେ କାଚ ଭାଙ୍ଗି ଯାଇଥିବା ଜଣାପଡିଛି । ଖବର ପାଇ ରେଳ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଟ୍ରେନ୍ର ସ୍ଥିତି ଯାଞ୍ଚ କରିବା ସହିତ ଏନେଇ ଆରପିଏଫ୍ରେ ମଧ୍ୟ ଏକ ମାମଲା ରୁଜୁ କରିଛନ୍ତି। ଟ୍ରେନ୍ ଉପରେ ପଥର କିଏ ଓ କାହିଁକି ପକାଇଲା ତାହାର ତଦନ୍ତ ଆରମ୍ଭ କରିଛି ଆରପିଏଫ ପୁଲିସ୍। ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରେଳ ଅଧିକାରୀ ସୂଚନା ଦେଇଛନ୍ତି ।
