କମଲା ହାରିସଙ୍କ ବିଷୟରେ ଏମିତି କହିଲେ ଟ୍ରମ୍ପ

ଆସନ୍ତା ନଭେମ୍ବରରେ ଆମେରିକାରେ ଅନୁଷ୍ଠିତ ହେବାକୁ ଯାଉଛି ରାଷ୍ଟ୍ରପତି ନିର୍ବାଚନ | ଏହାପୂର୍ବରୁ ଆମେରିକା ରାଜନୀତିରେ ଦେଖିବାକୁ ମିଳିଛି ନାଟକୀୟ ମୋଡ଼ । ରାଷ୍ଟ୍ରପତି ରେସରୁ ବାଦ ପଡିଛନ୍ତି ଆମେରିକାର ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନ | ଆଗାମୀ ରାଷ୍ଟ୍ରପତି ନିର୍ବାଚନ ଲଢିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଜୋ ବାଇଡେନ୍ । ଚିଠି ଲେଖି ଏହା ଘୋଷଣା କରିବା ସହ ରାଷ୍ଟ୍ରପତି ପ୍ରାର୍ଥୀ ଦୌଡରୁ ସେ ଓହରି ଯାଇଛନ୍ତି । ଏହାଛଡା ଏହି ନିଷ୍ପତ୍ତି ଦେଶ ଓ ଦଳର ହିତ ପାଇଁ ବୋଲି କହିଛନ୍ତି ବାଇଡେନ । ଜୋ ବାଇଡେନ ରାଷ୍ଟ୍ରପତି ଦୌଡରୁ ଓହରିଯିବା ପରେ ଉପରାଷ୍ଟ୍ରପତି କମଲା ହାରିସଙ୍କ ନାମକୁ ଡେମୋକ୍ରାଟିକ୍‌ ପାର୍ଟିର ପ୍ରାର୍ଥୀ ଭାବେ ଘୋଷଣା ହୋଇଛି । ଅତ୍ୟଧିକ ବୟସ କାରଣରୁ ବାଇଡେନ ଏଭଳି ନିଷ୍ପତ୍ତି ନେଇଥିବା ଏବେ ସାଧାରଣରେ ଚର୍ଚ୍ଚା ହେଉଛି |

ରାଷ୍ଟ୍ରପତି ନିର୍ବାଚନ ରେସ୍‌ରୁ ଓହରିଯିବା ପରେ ଡୋନାଲ୍ଡ ଟ୍ରମ୍ପ ନିଜର ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି । ଆମେରିକାର ନ୍ୟୁଜ୍‌ ନେଟୱାର୍କ CNNକୁ ଦେଇଥିବା ଏକ ଫୋନ୍‌ କଲରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ବାଇଡେନଙ୍କୁ ‘ଦେଶର ଇତିହାସରେ ସବୁଠାରୁ ଖରାପ ରାଷ୍ଟ୍ରପତି’ ବୋଲି କହିଛନ୍ତି। ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି ଯେ ବାଇଡେନଙ୍କ ଅପେକ୍ଷା ଉପ ରାଷ୍ଟ୍ରପତି କମଲା ହାରିସଙ୍କୁ ନିର୍ବାଚନରେ ପରାସ୍ତ କରିବା ତାଙ୍କ ପାଇଁ ଆହୁରି ସହଜ ହେବ । ଏହାଛଡା ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଜୋ ବାଇଡେନ୍‌ ପୁନର୍ବାର ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦିତା ନ କରିବାକୁ ସୂଚନା ଦେଇଥିଲେ । ସୋସିଆଲ ମିଡିଆ ପ୍ଲାଟଫର୍ମ ରେ ଟ୍ରମ୍ପ ପୋଷ୍ଟ କରି ଲେଖିଛନ୍ତି ଯେ, ‘ବାଇଡେନଙ୍କ ଆଖପାଖର ଲୋକମାନେ, ତାଙ୍କ ଡାକ୍ତର ଏବଂ ଗଣମାଧ୍ୟମକୁ ମଧ୍ୟ ଜଣାଥିଲା ଯେ ବାଇଡେନ୍‌ ଆଉ ରାଷ୍ଟ୍ରପତି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯୋଗ୍ୟ ନୁହଁନ୍ତି । ତାଙ୍କର ରାଷ୍ଟ୍ରପତି ହେବା ହେତୁ ଆମ୍ଭେମାନେ ବହୁତ କଷ୍ଟ ସହିଛୁ । ସେ ଏହି ପଦବୀରେ ରହିବା ସମୟରେ ଯେଉଁସବୁ କ୍ଷତି ହୋଇଛି ତାହା ପୁଣି ଏବେ ଟ୍ରାକକୁ ଆସିବ।

ଆମେ ପୁଣିଥରେ ଆମେରିକାକୁ ଆହୁରି ମହାନ କରି ଗଢି ତୋଳିବୁ । ଏହାଛଡା ରିପବ୍ଲିକାନ ପାର୍ଟିର ଉପରାଷ୍ଟ୍ରପତି ପ୍ରାର୍ଥୀ ଜେଡି ଭାନ୍ସ ମଧ୍ୟ ଜୋ ବାଇଡେନ୍‌ଙ୍କୁ ସବୁଠାରୁ ଖରାପ ରାଷ୍ଟ୍ରପତି ବୋଲି କହିଛନ୍ତି । ସେ କହିଛନ୍ତି ଯେ ଦେଶର ସୀମାକୁ ଖୋଲିବା ପାଇଁ ଆଗତ ପ୍ରସ୍ତାବରେ ବାଇଡେନ ସାଇନ୍‌ କରିବା ପରେ ତାହା ଆଇନ୍‌ରେ ପରିଣତ ହୋଇଥିଲା । ଏହି ସମୟରେ କମଳା ହାରିସ୍‌ ବି ଉକ୍ତ ପ୍ରସ୍ତାବରେ ବାଇଡେନଙ୍କ ସହ ସାଇନ୍‌ କରିଥିଲେ। ତେଣୁ ସେ ବାଇଡେନଙ୍କ ଅସଫଳତାରେ ମଧ୍ୟ ଭାଗିଦାରୀ ଅଟନ୍ତି । ଏଥି ସହ ବାଇଡେନ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ସବୁବେଳେ ଦେଶବାସୀଙ୍କୁ ମିଥ୍ୟା ଓ ବିଭ୍ରାନ୍ତିକର ତଥ୍ୟ ଦେଉଥିଲେ କମଳା ହାରିସ୍‌ । ତେଣୁ ଡେମୋକ୍ରାଟିକ୍‌ ପାର୍ଟି ଯାହାକୁ ବି ରାଷ୍ଟ୍ରପତି ପଦ ପାଇଁ ମଇଦାନକୁ ଓହ୍ଲାଇବ, ଆମେ ତାଙ୍କ ସହ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ’ ବୋଲି କହିଛନ୍ତି ଜେଡି ଭାନ୍ସ ।

Leave a Reply

Your email address will not be published. Required fields are marked *