ପୁରୀ : ଚଳିତ ବର୍ଷ ରଥଯାତ୍ରା ସମୟରେ ଆଡ଼ପ ପହଣ୍ଡି ବେଳେ ତଳେ ପଡ଼ିଥିଲେ ବଡ ଠାକୁର। ବର୍ତ୍ତମାନ ଏହି ବଡ ଅଘଟଣ ପାଇଁ ପ୍ରତିକାର ପୂଜା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଆଜି ଏହି ସମ୍ପର୍କରେ ସୂଚନା ଦେଇଛନ୍ତି ରାଜ୍ୟ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଶ୍ରୀଜିଉ ପଡ଼ିଗଲେ ବଡ ଅଘଟଣ ନେଇ ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତ ସଭା ପକ୍ଷରୁ ସୂଚନା ଦିଆଯାଇଥିଲା । ଦୁର୍ଭିକ୍ଷ, ଅନାବୃଷ୍ଟି ତଥା ରାଷ୍ଟ୍ରମୁଖ୍ୟଙ୍କ ଅମଙ୍ଗଳ ଘଟିବ ବୋଲି ପୂର୍ବରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଏ ନେଇ ଜଣାଇ ସାରିଥିଲା ମୁକ୍ତିମଣ୍ଡପ ପଣ୍ଡିତ ସଭା। ତେବେ ଏହି ଅଘଟଣର ପ୍ରତିକାର ପୂଜା ଜରୁରୀ ବୋଲି କହିଛି ମୁକ୍ତିମଣ୍ଡପ ପଣ୍ଡିତ ସଭା। ଏହାଛଡା ମନ୍ତ୍ରୀ କହିଛନ୍ତି ଯେ , ଆଡ଼ପ ପହଣ୍ଡି ବେଳେ ଯାହା ଘଟିଗଲା ତାହା ଏକ ଦୁର୍ଘଟଣା । ସେବାୟତ ମାନଙ୍କର ଅବହେଳା କାରଣରୁ ଏଭଳି ଏକ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ କରାଯାଇଥିବା ତଦନ୍ତରୁ ଜଣାପଡିଛି ଯେ ବଡ଼ ଠାକୁର ପଡ଼ି ନାହାନ୍ତି ବଡ଼ ଠାକୁରଙ୍କ କୌଣସି ଅଙ୍ଗ ତଳେ ଲାଗି ନଥିବା ବେଳେ ସେବାୟତଙ୍କ ପିଠିରେ ଭରା ଦେଇ ରହିଯାଇଥିବା ଜଣାପଡ଼ିଛି। ତେଣୁ ଏଥିପାଇଁ ପ୍ରତିକାର ପୂଜା ଲାଗି ମୁକ୍ତିମଣ୍ଡପ ପଣ୍ଡିତ ସଭାସହ ସହ କଥାବାର୍ତ୍ତା ହୋଇଛି। ମୁକ୍ତିମଣ୍ଡପ ପଣ୍ଡିତ ସଭା ଏଥିପାଇଁ ସମୟ ନିର୍ଘଣ୍ଟ ବାହାର କଲେ ପ୍ରତିକାର ପୂଜା ଆୟୋଜନ ହେବ ବୋଲି କହିଛନ୍ତି ଆଇନମନ୍ତ୍ରୀ।
