ଅଯୋଧ୍ୟା: ରାମ ମନ୍ଦିର ଉପରେ ସ୍ଥାପନା ହୋଇଛି ଧର୍ମ ଧ୍ୱଜା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ସ୍ଥାପନା କରିଛନ୍ତି। ପ୍ରଧାନମନ୍ତ୍ରୀ ଓ ମୋହନ ଭାଗବତଙ୍କ ହାତରେ ହୋଇଛି ଏହି ଧ୍ୱଜାରୋହଣ । ରାମଲାଲଙ୍କ ଗର୍ଭଗୃହରେ ପ୍ରଧାନମନ୍ତ୍ରୀଙ୍କ ପୂଜାର୍ଚ୍ଚନା ପରେ ଶିଖରରେ ଉଡ଼ିଛି ଧର୍ମଧ୍ୱଜା । ପ୍ରଧାନମନ୍ତ୍ରୀ ମୋଦି ରାମଲଲାଙ୍କ ଦର୍ଶନ କରିବା ସହିତ ରାମ ଦରବାରରେ ପୂଜାର୍ଚ୍ଚନା କରିଥିଲେ । ଶ୍ରୀରାମ ମନ୍ଦିର ଚୂଡ଼ାରେ ଉଡୁଛି ଗେରୁଆ ରଙ୍ଗର ପତାକା । ଯାହାର ଅର୍ଥ ମନ୍ଦିର ନିର୍ମାଣ ସଂପୂର୍ଣ୍ଣ ହୋଇଛି । ମାର୍ଗଶିର ମାସ ଶୁକ୍ଳପକ୍ଷ ପଞ୍ଚମୀରେ ହୋଇଛି ଧ୍ୱଜାରୋହଣ । ରାମସୀତାଙ୍କ ବିବାହ ପଞ୍ଚମୀରେ ଧର୍ମଧ୍ୱଜା ସ୍ଥାପନା କରାଯାଇଛି । ଏହାର ଉଚ୍ଚତା ୧୦ ଫୁଟ୍ ଓ ଲମ୍ବ ୨୦ ଫୁଟ୍ ଥିବାବେଳେ ଦକ୍ଷିଣ କୋଣ ତ୍ରିକୋଣୀୟରେ ସ୍ୱତନ୍ତ୍ର ପତାକା ତିଆରି କରାଯାଇଛି । ପତାକାରେ ରହିଛି ଉଜ୍ଜ୍ୱଳ ସୂର୍ଯ୍ୟ ଓ ଲେଖାଯାଇଛି ‘ଓମ୍’ । ଏଥିରେ ରହିଛି କାଞ୍ଚନ ଗଛର ପ୍ରତିଛବି । ପ୍ରଧାନମନ୍ତ୍ରୀ ମୋଦି ଏବଂ ଆରଏସଏସର ସଂଘଚାଳକ ମୋହନ ଭାଗବତ ପବିତ୍ର ଶ୍ରୀରାମ ଜନ୍ମଭୂମି ମନ୍ଦିରର ଶିଖରରେ ବିଧିବଦ୍ଧ ଭାବରେ ଗେରୁଆ ରଙ୍ଗର ପତାକା ସ୍ଥାପନା କରିଥିଲେ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ସେମାନଙ୍କ ସହିତ ଉପସ୍ଥିତ ଥିଲେ । ଯୋଗୀ ଆଦିତ୍ୟନାଥ କହିଛନ୍ତି, ନୂଆ ଯୁଗର ଆରମ୍ଭ ହୋଇଛି । ଏହି ଅବସରରେ ସିଦ୍ଧ କାଶୀ ବିଦ୍ୱାନ ଗଣେଶ୍ୱର ଶାସ୍ତ୍ରୀଙ୍କ ମାର୍ଗଦର୍ଶନରେ ଅଯୋଧ୍ୟା, କାଶୀ ଏବଂ ଦକ୍ଷିଣ ଭାରତର ୧୦୮ ଜଣ ଆଚାର୍ଯ୍ୟ ଏହି ପୂଜାର୍ଚ୍ଚନା କରିଥିଲେ ।
ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ଉଡ଼ିଲା ଧର୍ମଧ୍ୱଜା
