କୋରାପୁଟ, ୨୧/୦୭: ଆକାଶ ପୁରା ମେଘାଛର୍ଣ୍ଣ,ମାରୁଛି ତୁହାକୁ ତୁହା ବର୍ଷା l ଲୋକଙ୍କ ବାହାରକୁ ବାହାରିବା ମୁସ୍କିଲ ହୋଇଛି ,କାମ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ l ବଙ୍ଗୋପସାଗର ଲଘୁଚାପ ପ୍ରଭାବରେ କୋରାପୁଟ ଜିଲ୍ଲାରେ ପ୍ରବଳ ବୃଷ୍ଟିପାତ ହୋଇଛି l ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିବା ବେଳେ, ଜିଲ୍ଲାର କୋଟପାଡ଼ ବ୍ଲକରେ ସର୍ବାଧିକ ବର୍ଷା ହୋଇଥିବା ସୂଚନା ମିଳିଛି l ପାଣିପାଗ ବିଭାଗର ରିପୋର୍ଟ ଅନୁଯାଇ କୋଟପାଡ଼ ବ୍ଲକରେ ସର୍ବାଧିକ ୧୫୮ ମି.ମି ବର୍ଷା ରେକର୍ଡ କରାଯାଇଛି l

କୋଟପାଡ଼ ଅଞ୍ଚଳରେ ଦୀର୍ଘ ୪୮ ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ତୁହାକୁ ତୁହା ବର୍ଷା ଲାଗିରହିଥିବା ବେଳେ ଆଗକୁ ବର୍ଷା ଆହୁରି ଦାଉ ସାଧିବ ବୋଲି ପାଣିପାଗ ବିଭାଗ ରେଡ ୱାର୍ଣ୍ଣିଙ୍ଗ ଜାରି କରିଛି l ଏଠାରେ ପାଣିପାଗ ବିଭାଗର ପୂର୍ବାନୁମାନ ଶତ ପ୍ରତିଶତ ସଠିକ ପ୍ରମାଣିତ ହୋଇଛି l ଦିନ ରାତି ତୁହାକୁ ତୁହା ବର୍ଷା ହେଉଥିବା ବେଳେ, ଲୋକଙ୍କ ବାହାରକୁ ବାହାରିବା କଷ୍ଟକର ହୋଇପଡିଛି l ଅତ୍ୟନ୍ତ ଜରୁରୀ ନଥିଲେ ଲୋକେ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି l ରାସ୍ତା ଘାଟ ପୁରା ଶୂନ ସାନ ହୋଇପଡିଛି l ବ୍ୟବସାୟ ସମ୍ପୂର୍ଣ ବାଧାଭିଗ୍ନ ହୋଇପଡିଛି,ବର୍ଷା ଯୋଗୁଁ ଚାଷ କାମ ବି ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି l ଆହୁରି ଯଦି ବର୍ଷା ହୁଏ ବଢି ଆସିବାର ସମ୍ଭାବନା ହୋଇପାରେ ବୋଲି ଆକଳନ କରାଯାଉଛି l