ଲୋକସଭାରେ ବଜେଟ ଆଗତ ହେବା ପରେ ଏବେ ବିରୋଧୀଙ୍କ ଟାର୍ଗେଟରେ କେନ୍ଦ୍ର ସରକାର। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଗୃହରେ ଆଜି ବିଜେପିକୁ କଡା ସମାଲୋଚନା କରିଛନ୍ତି। ବର୍ତ୍ତମାନ ବିଜେପି ସରକାରଙ୍କ କାର୍ଯ୍ୟକଳାପକୁ ମହାଭାରତର ଚକ୍ରବ୍ୟୂହ ସହ ତୁଳନା କରିଛନ୍ତି ରାହୁଲ। ସେ କହିଛନ୍ତି, ବର୍ତ୍ତମାନ ଦେଶର ଯୁବବର୍ଗ ମାନେ ଅଗ୍ନିବୀରର ଚକ୍ରବ୍ୟୂହରେ ଫସି ଯାଇଛନ୍ତି। କେନ୍ଦ୍ର ସରକାର ଦେଶର ଯୁବବର୍ଗ, ଚାଷୀ, ମହିଳା ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ଚାରିପାଖରେ ଏକ ଚକ୍ରବ୍ୟୂହ ରଚନା କରିଛନ୍ତି। ଏହାଛଡା ଏହି ଚକ୍ରବ୍ୟୁହକୁ ପ୍ରଧାନମନ୍ତ୍ରୀଙ୍କ ସମେତ ୬ ଜଣ ବ୍ୟକ୍ତି ଏହାକୁ ନିୟନ୍ତ୍ରଣ ମଧ୍ୟ କରୁଛନ୍ତି। ରାହୁଲ ତାଙ୍କ ବକ୍ତ୍ୟବରେ ମହାଭାରତର ଉପଖ୍ୟାନକୁ ଉଠାଇ ବିଜେପି ସରକାରଙ୍କୁ ଘେରିଛନ୍ତି। ମହାଭାରତର ଚକ୍ରବ୍ୟୁହକୁ ସେ ବର୍ତ୍ତମାନର ପଦ୍ମବ୍ୟୁହ ସହିତ ତୁଳନା କରି ଚକ୍ରବ୍ୟୂହ ପଦ୍ମ ଆକୃତି ବୋଲି ସେ କହିଛନ୍ତି । ଏକବିଂଶ ଶତାବ୍ଦୀରେ ପଦ୍ମ ଆକୃତିର ଚକ୍ରବ୍ୟୂହର ପ୍ରତୀକକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଛାତିରେ ଧାରଣ କରି ବୁଲୁଛନ୍ତି ବୋଲି ସେ ମଧ୍ୟ କହିଛନ୍ତି । ମହାଭାରତରେ ଅଭିମନ୍ୟୁଙ୍କ ସହ ଯାହା ହୋଇଥିଲା ଏବେ ଭାରତ ସହ ଠିକ୍ ସେହିପରି ସବୁ ହେଉଛି । ବର୍ତ୍ତମାନ ଏହି ଚକ୍ରବ୍ୟୂହର କେନ୍ଦ୍ରସ୍ଥଳରେ ୬ ଜଣ ଅଛନ୍ତି ଏବଂ ସେମାନେ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ମୋହନ ଭାଗବତ, ଏନ୍ଏସ୍ଏ ଅଜିତ ଡୋଭଲ, ମୁକେଶ ଅମ୍ବାନି ଏବଂ ଗୌତମ ଆଦାନି। ଏବଂ ବିଜେପିରେ କେବଳ ଜଣେ ବ୍ୟକ୍ତିଙ୍କୁ ହିଁ ପ୍ରଧାନମନ୍ତ୍ରୀ ହେବାର ସ୍ବପ୍ନ ଦେଖିବାପାଇଁ ଅନୁମତି ମିଳିଛି । ରାହୁଲଙ୍କ ଏହି ଚକ୍ରବ୍ୟୁହ ଟିପ୍ପଣୀକୁ ବିରୋଧ କରି ଆଜି ଗୃହରେ ହୋହଲ୍ଲା କରିଥିଲେ ଏନଡିଏ ସାଂସଦମାନେ ଏବଂ ଶେଷରେ ବାଚସ୍ପତି ଓମ୍ ବିର୍ଲା ମଧ୍ୟ ଏହି ମାମଲାରେ ହସ୍ତକ୍ଷେପ କରିଥିଲେ। ଏହାଛଡା କେନ୍ଦ୍ର ବଜେଟ୍କୁ ବିରୋଧ କରି ରାହୁଲ କହିଛନ୍ତି, ବଜେଟ୍ ଦେଶର ସମସ୍ତ କ୍ଷୁଦ୍ର ବ୍ୟବସାୟୀ ମାନଙ୍କୁ ଆଘାତ ଦେଇଛି। ଏହାର ଜବାବରେ ଆଜି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ରାହୁଲ ଗାନ୍ଧୀ ପୂରା ଦେଶକୁ ସମ୍ପୂର୍ଣ ମିଥ୍ୟା ସୂଚନା ଦେବା ସହ ଦେଶବାସୀଙ୍କୁ ଭ୍ରମିତ କରୁଛନ୍ତି। ରାହୁଲ ବଜେଟ ସଂପର୍କରେ ଲୋକମାନଙ୍କ ମନରେ ଭ୍ରାନ୍ତ ଧାରଣା ସୃଷ୍ଟି କରୁଛନ୍ତି। ଅଗ୍ନିପଥ ଯୋଜନାରେ ସେ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି। ଅଗ୍ନିବୀରଙ୍କୁ ଆର୍ଥିକ ସହାୟତା ନମିଳିବା ପ୍ରସଙ୍ଗରେ ପୂର୍ବରୁ ଯେଉଁ ବୟାନ ଦେଇଥିଲେ ସେ ପ୍ରସଙ୍ଗରେ ରାଜନାଥ କହିଛନ୍ତି ଯେ ରାହୁଲ ଭୁଲ୍ ତଥ୍ୟ ଦେଇ ଗୃହକୁ ଭ୍ରମିତ ନକରନ୍ତୁ। ସୀମା ସୁରକ୍ଷା ପାଇଁ ବଳିଦାନ ଦେଇଥିବା ଅଗ୍ନିବୀରଙ୍କ ପରିବାରକୁ ୧ କୋଟି ଟଙ୍କାର ଆର୍ଥିକ ସହାୟତା ଦିଆଯାଇଛି।
