ଆଜି ଲୋକସଭାରେ ଆଗତ ହୋଇଛି କେନ୍ଦ୍ର ବଜେଟ୍ | ଗୃହରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜର ବଜେଟ୍ ଅଭିଭାଷଣ ଆରମ୍ଭ କରିବା ସହ ବଜେଟ୍ ଉପସ୍ଥାପନ କରିଛନ୍ତି। ଖୋଲିଛି ଅର୍ଥମନ୍ତ୍ରୀ ନିର୍ମଳାଙ୍କ ବଜେଟ୍ ପେଢ଼ି। ଏଥର ମଧ୍ୟ ସଂସଦରେ ପେପର୍ ଲେସ୍ ବଜେଟ୍ ଉପସ୍ଥାପନ ହୋଇଛି। ଅର୍ଥମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ସହ ସଂସଦରେ ଉପସ୍ଥିତ ହୋଇଥିଲେ ମନ୍ତ୍ରୀଗଣ ଓ ସବୁ ଦଳର ସାଂସଦ ମାନେ । ଏହାପରେ ବାଚସ୍ପତି ଗୃହକୁ ସମ୍ବୋଧନ କରିବା ପରେ ଅର୍ଥମନ୍ତ୍ରୀ ଆଗତ କରିଛନ୍ତି ୨୦୨୪-୨୫ ବର୍ଷ ପାଇଁ ବଜେଟ୍ । ମୋଦୀଙ୍କ ୩ୟ ପାଳିର ଏହା ହେଉଛି ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍। ଆଗତ ହୋଇଥିବା ଏହି ଅନ୍ତରୀଣ ବଜେଟରେ ୪ ଗୋଷ୍ଠୀ ଗରିବ, ମହିଳା, ଯୁବବର୍ଗ ଏବଂ କୃଷକଙ୍କୁ ପ୍ରାଧାନ୍ୟ ଦିଆଯାଇଥିଲା। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନଯୋଜନା କୁ ପୁଣି ୫ ବର୍ଷ ବଢ଼ାଯାଇଛି। ଏଥିସହିତ ୫ ବର୍ଷରେ ୪ କୋଟି ଯୁବବର୍ଗଙ୍କୁ ନିଯୁକ୍ତି, ସୁଦକ୍ଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।
ନିଯୁକ୍ତି, ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ମୋଟ ୧ ଲକ୍ଷ ୪୮ ହଜାର କୋଟିର ବ୍ୟବସ୍ଥା କରାଯାଇଛି। ୩୨ ଟି ଫସଲର ୧୦୯ ଉନ୍ନତ କିସମର ଅମଳକ୍ଷମ ବିହନ ଚାଷୀ ମାନଙ୍କୁ ମିଳିବ। ଏହାସହ ୧ କୋଟି ଚାଷୀଙ୍କୁ ପ୍ରାକୃତିକ ଉପାୟରେ ଚାଷ ପାଇଁ ସମସ୍ତ ପ୍ରୋତ୍ସାହନ ଦିଆଯିବ। କୃଷି କ୍ଷେତ୍ର ପାଇଁ ୧ ଲକ୍ଷ ୫୨ ହଜାର କୋଟିର ପ୍ରାବଧାନ ରହିଛି । ସେହିପରି ପିଏମ୍ ଯୋଜନାରେ ଚାଷୀଙ୍କୁ ମିଳିବ ୧୫ ହଜାର ଟଙ୍କା। ଏହାସହିତ ଚାଷୀଙ୍କ ଉତ୍ପାଦର ଷ୍ଟୋରେଜ ଓ ମାର୍କେଟିଂ ପାଇଁ ମଧ୍ୟ ବିଶେଷ ବ୍ୟବସ୍ଥା କରାଯିବ ।ଏଥିସହ ଚାଷୀଙ୍କ ପାଇଁ ୧୦ ହଜାର ବାୟୋ ରିସର୍ଚ୍ଚ କେନ୍ଦ୍ର ପ୍ରତିଷ୍ଠା ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଅନ୍ୟପଟେ ପୂର୍ବାଞ୍ଚଳ ରାଜ୍ୟର ବିକାଶ ପାଇଁ ପୂର୍ବୋଦୟର ସ୍ବପ୍ନ ଦେଖେଇଛନ୍ତି ଅର୍ଥମନ୍ତ୍ରୀ । ପୂର୍ବାଞ୍ଚଳ ରାଜ୍ୟ ସହ ଆଉ ୫ଟି ରାଜ୍ୟ ସାମିଲ ହେବେ ।
ଏହି ସ୍କିମରେ ଏଥର ସାମିଲ ହେବେ ଓଡ଼ିଶା, ବିହାର, ପଶ୍ଚିମବଙ୍ଗ, ଏବଂ ଆନ୍ଧ୍ରପ୍ରଦେଶ ।ଏହାସହିତ ବିହାର ଏବଂ ଆନ୍ଧ୍ର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କଲେ ଅର୍ଥମନ୍ତ୍ରୀ । ବିହାରରେ ଏୟାରପୋର୍ଟ ସହିତ ମେଡିକାଲ କଲେଜର ବିକାଶ ହେବ । ନୂଆ ଏୟାରପୋର୍ଟ, ମେଡିକାଲ କଲେଜ ପାଇଁ କେନ୍ଦ୍ର ସରକାର ଙ୍କ ପକ୍ଷରୁ ଅନୁଦାନ ମିଳିବ । ଆନ୍ଧ୍ରପ୍ରଦେଶ ପାଇଁ ମଧ୍ୟ ବିଶେଷ ଘୋଷଣା କଲେ ଅର୍ଥମନ୍ତ୍ରୀ । ପୋଲାଭରମ ଆନ୍ଧ୍ରର ଜୀବନ ରେଖା ବୋଲି କହିବା ସହ ପୋଲାଭରମ ପ୍ରକଳ୍ପ କିପରି ଶୀଘ୍ର ସମାପ୍ତ ହେବ ସେଥିପାଇଁ ସମସ୍ତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । ଆନ୍ଧ୍ରପ୍ରଦେଶ ପୁନର୍ଗଠନ ଯୋଜନାରେ ବି ଅନୁଦାନ ଘୋଷଣା କରାଯାଛି । ଏବଂ ଆଉ ୩ କୋଟି ପିଏମ୍ ଆବାସ ନିର୍ମାଣ କରାଯିବାର ଘୋଷଣା କରାଯାଇଛି । ଉଭୟ ଗ୍ରାମାଞ୍ଚଳ ସହିତ ସହରାଞ୍ଚଳ ପାଇଁ ୩ କୋଟି ଆବାସ ନିର୍ମାଣ ହେବ । ସେହିପରି ମହିଳା ଓ ଯୁବତୀ ମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ମୋଟ ୩ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ ବଜେଟ୍ କରାଯାଇଛି।