ଦିଲ୍ଲୀର ଏକ ଆଇଏଏସ କୋଚିଂ ସେଣ୍ଟରରେ ତିନି ଜଣ ଶିକ୍ଷାର୍ଥୀଙ୍କ ମୃତ୍ୟୁ ହେବା ପରେ ଏବେ ଆକ୍ସନ ମୋଡ଼ରେ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ । ଆଜି ଲୋକପ୍ରିୟ ଦୃଷ୍ଟି ଆଇଏଏସ କୋଚିଂ ସେଣ୍ଟରର ବେସମେଣ୍ଟକୁ ନିୟମ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ସିଲ୍ କରିଛି। ସୂଚନା ମୁତାବକ ମୁଖାର୍ଜୀ ନଗର ଅଞ୍ଚଳରେ ଥିବା ‘ଦୃଷ୍ଟି’ ସମେତ ଦିଲ୍ଲୀର ପାଖାପାଖି ପ୍ରାୟ 8ଟି କୋଚିଂ ସେଣ୍ଟରର ବେସମେଣ୍ଟକୁ ସମ୍ପୂର୍ଣ ସିଲ୍ କରିଦିଆଯାଇଛି । ନିୟମ ଅନୁସାରେ, ବେସମେଣ୍ଟ କେବଳ ଷ୍ଟୋର୍ ପାଇଁ ବ୍ୟବହାର କରାଯିବା କଥା, କିନ୍ତୁ ଏସବୁ କୋଚିଂ ସେଣ୍ଟରର ବେସମେଣ୍ଟରରେ କୋଚିଂ କ୍ଲାସ୍ ଚାଲିଥିବାରୁ ସେମାନଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ମ୍ୟୁନିସପାଲ କର୍ପୋରେସନ ପକ୍ଷରୁ ଏହି ଚଢାଉ କରାଯାଇ ଦୃଷ୍ଟି ଆଇଏଏସ କୋଚିଂ ସେଣ୍ଟର ସମେତ ଭଜିରାମ, ରବି ଏବଂ ଶ୍ରୀରାମ କୋଚିଂ ସେଣ୍ଟରର ବେସମେଣ୍ଟକୁ ମଧ୍ୟ ସିଲ୍ କରାଯାଇଛି। ଗତ ଦୁଇ ଦିନ ମଧ୍ୟରେ MCD ପ୍ରାୟ 8ଟି କୋଚିଂ ସେଣ୍ଟରର ବେସମେଣ୍ଟକୁ ସିଲ୍ କରିଥିବା ଜଣାପଡ଼ିଛି। ଦିଲ୍ଲୀ ସମେତ ସମଗ୍ର ଦେଶରେ ପ୍ରସିଦ୍ଧ ଲାଭ କରିଥିବା ଆଇଏଏସ କୋଚିଂ ସେଣ୍ଟର ହେଉଛି ଦୃଷ୍ଟି। ଲୋକପ୍ରିୟ ଟ୍ୟୁଟର ତଥା ଦୃଷ୍ଟି ଆଇଏଏସ କୋଚିଂ ସେଣ୍ଟରର ପ୍ରତିଷ୍ଠାତା ଏବଂ ପରିଚାଳନା ନିର୍ଦ୍ଦେଶକ ହେଉଛନ୍ତି ବିକାଶ ଦିବ୍ୟାକିର୍ତ୍ତୀ। ସେ ଏହି କୋଚିଂ ସେଣ୍ଟରକୁ 1999 ମସିହାରୁ ଆରମ୍ଭ କରିଥିବା ସହ ନିଜେ ମଧ୍ୟ ଏଠାରେ ଶିକ୍ଷାଦାନ କରନ୍ତି। ପ୍ରଥମେ ବିକାଶ ଦିବ୍ୟକିର୍ତ୍ତୀ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ସହକାରୀ ପ୍ରଫେସର ଭାବରେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ପରେ ସେ ପ୍ରଥମ ପ୍ରୟାସରେ 1996ରେ ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ଏହାପରେ ସେ ଗୃହ ମନ୍ତ୍ରଣାଳୟରେ ଜଣେ ପ୍ରଶାସିକ ଅଧିକାରୀ ଭାବେ ନିଯୁକ୍ତ ହୋଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସେ ପଦରୁ ଇସ୍ତଫା ଦେଇ ଦୃଷ୍ଟି ଆଇଏଏସ୍ ପ୍ରତିଷ୍ଠା କରିବା ସହ ନିଜେ ମଧ୍ୟ ଏଠାରେ ଶିକ୍ଷାଦାନ କରନ୍ତି।
