ଅଷ୍ଟ୍ରେଲିଆରେ ସୋସିଆଲ ମିଡିଆ କଟକଣା

ଅଷ୍ଟ୍ରେଲିଆ: ଅଷ୍ଟ୍ରେଲିଆରେ ସୋସିଆଲ ମିଡିଆ କଟକଣା । ଅଷ୍ଟ୍ରେଲିଆରେ ସୋସିଆଲ ମିଡିଆ ଉପରେ ଲାଗିଥିବା ପ୍ରତିବନ୍ଧକ ପାଳନ କରାଯିବ । ଆଜିଠାରୁ ୧୬ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପ୍ରତିବନ୍ଧକ ଲଗାଯାଇଛି । ଯେଉଁଥିରେ ଟିକଟକ୍, ୟୁଟ୍ୟୁବ୍ ଏବଂ ଇନଷ୍ଟାଗ୍ରାମ, ଫେସବୁକ୍ ଭଳି ବଡ଼ ବଡ଼ ଆପ୍ସ ବ୍ୟତୀତ ଥ୍ରେଡ୍ସ, ଏକ୍ସ, ସ୍ନାପଚାଟ୍ ଭଳି ପ୍ଲାଟଫର୍ମ ସହିତ ସାମିଲ ରହିଛି । ଯାହା ଉପରେ ନୂଆ ଆଇନ୍ କାର୍ଯ୍ୟକାରୀ କରିବା ବାଧ୍ୟତାମୂଳକ ଭାବେ ଲାଗୁ କରାଯିବ । ଅଷ୍ଟ୍ରେଲିଆ ସରକାର କହିଛନ୍ତି, ସୋସିଆଲ ମିଡିଆ ବ୍ୟାନ୍ ଯୁବପିଢିଙ୍କୁ କ୍ଷତିକାରକ ବିଷୟ ବସ୍ତୁରୁ ସୁରକ୍ଷା ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି । ଫେସବୁକ୍, ଟିକଟକ୍ ଏବଂ ୟୁଟ୍ୟୁବ୍ ସମେତ ଅନ୍ୟାନ୍ୟ ପ୍ଲାଟଫର୍ମରୁ ଟିନ୍ ୟୁଜର୍ସଙ୍କୁ ହଟାଇବା ପାଇଁ ପଦକ୍ଷେପ ନିଆଯାଇଛି ।


କିନ୍ତୁ ଡିସ୍କାର୍ଡ, ଗୁଗଲ କ୍ଲାସରୁମ୍, ମେସେଞ୍ଜର, ଗିଟହବ୍, ହ୍ୱାଟସଆପ୍, ଲେଗୋ ପ୍ଲେ, ଷ୍ଟିମ୍, ରୋବଲୋକ୍ସ ଏବଂ ୟୁଟ୍ୟୁବ୍ କିଡ୍ସ ଭଳି ପ୍ଲାଟଫର୍ମଗୁଡ଼ିକ ଉପରେ କୌଣସି ପ୍ରତିବନ୍ଧକ ଲଗାଯାଇନାହିଁ । ଏହାରି ମଧ୍ୟରେ ଅଷ୍ଟ୍ରେଲିଆ ସରକାରଙ୍କ ଇ-ସୁରକ୍ଷା ଅଧିକାରୀ କହିଛନ୍ତି, କିଛି ପ୍ଲାଟଫର୍ମ ଏବେ ବି ବିଚାରଧୀନରେ ରହିଛି । ଯେଉଁଥିରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିବ ବୋଲି ଅନୁମାନ କରାଯାଉଛି । ଏଥିସହ ଏହି ପ୍ରତିବନ୍ଧକ କମ୍ ବୟସର ପିଲାଙ୍କ ପାଇଁ ଲାଗୁ କରାଯାଇଛି ବୋଲି ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନିଜ୍ ମଧ୍ୟ କହିଛନ୍ତି । ଅନ୍ୟପଟେ ପ୍ରତିବନ୍ଧକ ଉଲ୍ଲଂଘନକାରୀ ପିଲା ଏବଂ ବାପା-ମାଙ୍କୁ ଦଣ୍ଡ ଦିଆଯିବ ନାହିଁ ବୋଲି ମଧ୍ୟ ନିଷ୍ପତ୍ତି ନିଆଯାଇଛି । କିନ୍ତୁ କମ୍ପାନୀର ନିୟମ ଉଲ୍ଲଂଘନ ପାଇଁ ୪୯.୫ ମିଲିୟନ ଅଷ୍ଟ୍ରେଲିଆ ଡଲାର ପର୍ଯ୍ୟନ୍ତ ଜୋରିମାନା ହୋଇପାରେ ।

Leave a Reply

Your email address will not be published. Required fields are marked *