ଆଡ଼ପ ମଣ୍ଡପରେ ନବଦିନାତ୍ମକ ଲୀଳା ଖେଳା ସାରି ଏବେ ଜନ୍ମବେଦୀ ଛାଡି ରତ୍ନବେଦୀ କୁ ବାହୁଡ଼ିଛନ୍ତି ଚତୁର୍ଦ୍ଧା ମୂର୍ତ୍ତି।ଆଜି ମହଣ ମହଣ ଅଳଙ୍କାରରେ ଝଟକିବେ ଚତୁର୍ଦ୍ଧାମୂର୍ତ୍ତି ।ପ୍ରଭୁଙ୍କର ଏହି ଦୁର୍ଲ୍ଲଭ ବେଶ ଦେଖି ପୁରି ଉଠିବ ସିଂହଦ୍ୱାର, ଉଚ୍ଛୁଳିବ ବଡ଼ଦାଣ୍ଡ।ଆଜି ହେଉଛି ଆଷାଢ଼ ଶୁକ୍ଳ ଏକାଦଶୀ ବିଶ୍ୱନିୟନ୍ତାଙ୍କ ର ଅନୁଷ୍ଠିତ ହେଉଛି ସୁନାବେଶ।
ମହଣ ମହଣ ଅଳଙ୍କାରରେ ଆଭୂଷିତ ହୋଇ ରଥ ଉପରେ ଦର୍ଶନ ଦେବେ ଚତୁର୍ଦ୍ଧା ମୂରତି ।ସକାଳ ୬ଟାରୁ ମଙ୍ଗଳ ଆଳତୀ ନୀତି ହୋଇଥିବା ବେଳେ ଦିନ ୧୦ଟା ୩୦ ସୁଦ୍ଧା ଗୋପାଳ ବଲ୍ଲଭ ଭୋଗ ନୀତି ସମ୍ପନ ହେବ ହେବ। ଦିନ ୨ଟାରୁ ୩ଟା ମଧ୍ୟରେ ମଧ୍ୟାହ୍ନ ଧୂପ ନୀତି ହେବ। ପରେ ସନ୍ଧ୍ୟା ୫ଟାରୁ ସାଢେ ୬ଟା ମଧ୍ୟରେ ହେବ ସୁନାବେଶ । ରାତି ୧୦ଟା କିମ୍ବା ୧୧ଟା ଯାଏଁ ଏହି ଦୁର୍ଲଭ ବେଶ ଦର୍ଶନର ସୁଯୋଗ ପାଇବେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ। ମହାପ୍ରଭୁଙ୍କ ସୁନା ବେଶରେ ଲାଗି ହେଉଥିବା ଅଳଙ୍କାର ସବୁ ଗତ ୧୪ ତାରିଖରେ ଅସ୍ଥାୟୀ ବାହାର ରତ୍ନ ଭଣ୍ଡାରକୁ ସ୍ଥାନାନ୍ତର କରାଯାଇଛି। ତେଣୁ ସେଠାରୁ ହିଁ ଆଜି ସମସ୍ତ ଅଳଙ୍କାର ଅଣାଯାଇ ଶ୍ରୀଜିଉଙ୍କ ରାଜରାଜେଶ୍ବର ବେଶ ସଂପନ୍ନ ହେବ।
ଏହି ବେଶ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ୧୫ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହେବାର ଆଶା କରାଯାଉଛି। ଶୃଙ୍ଖଳିତ ଦର୍ଶନ ଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ମଧ୍ୟ କରାଯାଇଛି |ଅନ୍ୟପଟେ ଭକ୍ତଙ୍କ ଭିଡ଼କୁ ନଜରରେ ରଖି ପୁରୀରେ ଟ୍ରାଫିକ୍ ବ୍ୟବସ୍ଥା ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି। ଏଥିସହିତ ରଥାରୁଢ଼ ଶ୍ରୀଜିଉଙ୍କ ସାମ୍ନାରେ କୌଣସି ସେବାୟତଙ୍କୁ ଛିଡ଼ା ହେବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି । ଗତକାଲି ମଧ୍ୟ ରଥାରୁଢ଼ ଶ୍ରୀଜିଉଙ୍କ ଦର୍ଶନ ଲାଗି ଜନସମୁଦ୍ର ପାଲଟି ଯାଇଥିଲା ଶ୍ରୀକ୍ଷେତ୍ର।