ଭୁବନେଶ୍ୱର : ରାଜ୍ୟରେ ବିଜେପି ସରକାର ଗଠନ ହେବାପରେ ଏବେ ଶିଳ୍ପାୟନ କ୍ଷେତ୍ରରେ ନୂଆ ଆଶା ସଂଚାର ହୋଇଛି । ବିକାଶ କ୍ଷେତ୍ରରେ ଆଉ ପାଦେ ଆଗେଇଲା ଓଡିଶା । ଏଣିକି ଓଡ଼ିଶାରେ ତିଆରି ହେବ ଜାହାଜ । ଏନେଇ ଆଜି ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କମିଟି ବୈଠକରେ ୪ ହଜାର ୯୫୪.୨୬ କୋଟି ଟଙ୍କା ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଭଦ୍ରକ ଜିଲ୍ଲାରେ ନେପ୍ଚୁନ୍ସ ସିପ୍ ବିଲ୍ଡର୍ସ ଆଣ୍ଡ ରିସାଇକ୍ଲର୍ସ ପ୍ରାଇଭେଟ୍ ଲିମିଟେଡ୍ ୯୩୪.୫୪ କୋଟି ଟଙ୍କା ବିନିଯୋଗରେ ଜାହାଜ ତିଆରି କାରଖାନା ସ୍ଥାପନ କରିବ। କାର୍ଯ୍ୟକାରୀ ହେବାକୁ ଥିବା ମୋଟ ୩୧ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରାଯାଇଛି । ପ୍ରକଳ୍ପଗୁଡ଼ିକ ସୁଚାରରୂପେ କାର୍ଯକାରୀ ହେଲେ ରାଜ୍ୟରେ ୨୪,୧୬୨ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିଙ୍ଗଲ୍ ୱିଣ୍ଡୋ କମିଟି ବୈଠକରେ ମଞ୍ଜୁର କରାଯାଇଥିବା ପ୍ରକଳ୍ପଗୁଡ଼ିକ ଖୋର୍ଦ୍ଧା, ବରଗଡ଼, ସୋନପୁର, ସମ୍ବଲପୁର, ଝାରସୁଗୁଡ଼ା, ଅନୁଗୁଳ, ଯାଜପୁର, ଭଦ୍ରକ, କଟକ, ଜଗତସିଂହପୁର, ବାଲେଶ୍ବର, ରାୟଗଡ଼ା, ଢେଙ୍କାନାଳ, ପୁରୀ, ପାରାଦୀପ, କୋରାପୁଟ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଏବଂ ସୁନ୍ଦରଗଡ଼ରେ ସ୍ଥାପନ କରାଯିବ ।
