କୋରାପୁଟ: ଇନ୍ଦ୍ରାବତୀ ନଦୀବନ୍ଧ ପ୍ରକଳ୍ପ ଅଧୀନରେ ଥିବା ମୁରାନ ଡେମ ଡିଭିଜନରେ କାର୍ଯ୍ୟରତ ସିକ୍ୟୁରିଟି ଗାର୍ଡମାନଙ୍କୁ ମିଳୁନି ମାସିକ ଦରମା। ଦାବି ଜଣାଇଲେ ମିଳୁଛି ଚାକିରିରୁ ବହିଷ୍କାର ଧମକ। ଧମକ ଦେବା ସହିତ କାର୍ଯ୍ୟାନୁଷ୍ଠାନ ବି ଗ୍ରହଣ କରିଛି ଠିକା ସଂସ୍ଥା। ଏହିଭଳି ମନମୁଖୀ କାର୍ଯ୍ୟକୁ ବିରୋଧ ପ୍ରଦର୍ଶନ କରିଛନ୍ତି କୋରାପୁଟ ଜିଲ୍ଲାର ମୁରାନ୍ ଡେମକୁ ଦିନ ରାତି ସୁରକ୍ଷା ଦେଉଥିବା ସୁରକ୍ଷା କର୍ମୀ। ଏମପି ସିକ୍ୟୁରିଟି ଓ ମଞ୍ଜୁ ସିକ୍ୟୁରିଟି ସର୍ଭିସ୍ ନାମକ ଠିକା ସଂସ୍ଥା ଦୀର୍ଘ 9 ମାସର ଦରମା ଦେଇ ନାହାନ୍ତି। ମଞ୍ଜୁ ସର୍ଭିସ୍ ଅଧୀନରେ ଥିବା ସୁରକ୍ଷା କର୍ମୀମାନେ ଅଭିଯୋଗ ଆଣିବାରୁ କିଛି ସୁରକ୍ଷା କର୍ମୀଙ୍କ ଦରମା ସମ୍ପୂର୍ଣ ବନ୍ଦ କରି ଦେଇଥିବା ଏବଂ ଚାକିରିରୁ ଛଟେଇ କରିଥିବା ଅଭିଯୋଗ ନେଇ ବୋରିଗୁମ୍ମାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମନୋଜ ସତ୍ୟୱାନଙ୍କୁ ଭେଟି ଠିକା ସଂସ୍ଥା ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ କରିଛନ୍ତି ସୁରକ୍ଷା କର୍ମୀ। ସେପଟେ ଜିଲ୍ଲାପାଳ କହିଛନ୍ତି ତଦନ୍ତ ପରେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
