ନୂଆଦିଲ୍ଲୀ ୧୩ /୦୮: ପ୍ୟାରିସ ହେବାକୁ ଯାଉଥିବା ପାରା ଅଲିମ୍ପିକ୍ସ ପୂର୍ବରୁ ଭାରତକୁ ଲାଗିଛି ଶକ୍ତ ଧକ୍କା। ୨୦୨୪ ପ୍ୟାରିସ୍ ପାରା ଅଲିମ୍ପିକ୍ସରେ ଆଉ ଭାଗ ନେଇ ପାରିବେନି ପ୍ରମୋଦ। ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଙ୍କୁ ସସ୍ପେଣ୍ଡ । ଦୀର୍ଘ ୧୮ମାସ ପାଇଁ ନିଲମ୍ୱିତ କରିଛି ବିଶ୍ବ ବ୍ୟାଡ୍ମିଣ୍ଟନ ଫେଡେରେସନ। ତେବେ ଡୋପିଂ ନିରୋଧୀ ନିୟମ ଉଲ୍ଲଂଘନ ଅଭିଯୋଗରେ ପ୍ରମୋଦଙ୍କୁ ସସ୍ପେଣ୍ଡ କରାଯାଇଥିବା ଜଣାପଡିଛି। ଗତ ମାର୍ଚ୍ଚ ୧ ତାରିଖରେ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଅଫ୍ ସ୍ପୋର୍ଟ ର ଆଣ୍ଟି-ଡୋପିଂ ଡିଭିଜନ୍ ବ୍ୟାଡମିଣ୍ଟନ୍ ଖେଳାଳି ପ୍ରମୋଦ ଙ୍କୁ ବିଡବ୍ଲୁଏଫ୍ ଆଣ୍ଟି-ଡୋପିଂ ନିୟମ ଉଲ୍ଲଂଘନ କରିଥିବାରୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେ ଗତ ୧୨ ମାସ ମଧ୍ୟରେ ତିନି ଥର ଡୋପିଂ ପରୀକ୍ଷାରେ ବିଫଳ ହୋଇଛନ୍ତି। ପ୍ରମୋଦ ଭଗତ ଭାରତୀୟ ପାରା-ବ୍ୟାଡମିଣ୍ଟନର ପ୍ରଥମେ ମୂଳଦୁଆ ପକାଇଥିଲେ। ତାଙ୍କର ଅନେକ ସଫଳତା ଏବଂ କ୍ରୀଡା ପ୍ରତି ଥିବା ଉତ୍ସର୍ଗୀକୃତ ଭାବନା ଅନେକ ଲୋକଙ୍କୁ ଭବିଷ୍ୟତ ପାଇଁ ପ୍ରେରଣା ଯୋଗାଇଛି। ଟୋକିଓ ପାରାଲିମ୍ପିକ୍ସ-୨୦୨୦ରେ ପୁରୁଷ ସିଙ୍ଗଲ୍ସ SL3 ବର୍ଗରେ ସେ ସ୍ୱର୍ଣ୍ଣ ପଦକ ଜିତିବା ସହିତ ତାଙ୍କ କ୍ୟାରିଅରରେ ଆହୁରି ଅନେକ ଉଲ୍ଲେଖନୀୟ ସଫଳତା ପାଇଥିବା ଦେଖିବାକୁ ମିଳିଛି । ତାଙ୍କର ଏହି ବିଜୟ ପାରା-ବ୍ୟାଡମିଣ୍ଟନରେ ବିଶ୍ୱରେ ଭାରତକୁ ସୂଚିତ କରିଛି । ପାରା ଅଲିମ୍ପିକ୍ସରେ ସଫଳତା ବ୍ୟତୀତ ଭାଗବତ ବିଶ୍ୱ ଚାମ୍ପିୟନସିପ ଏବଂ ଏସିଆନ୍ ପାରା ଗେମ୍ସରେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। କିନ୍ତୁ ପ୍ୟାରିସ ପାରା ଅଲିମ୍ପିକ୍ସ ପୂର୍ବରୁ ପ୍ରମୋଦ ନିଲମ୍ବନ ହେବା ତାଙ୍କର ପଦକ ଆଶାକୁ ଧୂଳିସାତ କରିଦେଇଛି। ଓଡ଼ିଶାର ଗର୍ବ ତଥା ପ୍ରଥମ ଓଡ଼ିଆ ଖେଳାଳି ଭାବରେ ଭାରତର ଶ୍ରେଷ୍ଠ କ୍ରୀଡା ସମ୍ମାନ ‘ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର’ ମଧ୍ୟ ଲାଭ କରି ସାରିଛନ୍ତି ପ୍ରମୋଦ ଭଗତ।
