କେନ୍ଦୁଝର ଜିଲ୍ଲାରେ ଭିନ୍ନକ୍ଷମଙ୍କୁ ଯୋଗାଇ ଦିଆଯାଉଛି ନିମ୍ନ ମାନର ଟ୍ରାଇ ସାଇକଲ, ଓ ବ୍ୟାଟେରୀ ଚାଳିତ ଗାଡି । ହେଲେ ଏହା ଅଳ୍ପ ଦିନରେ ଖରାପ ହୋଇ ଯାଉଛି ଆଉ ଖରାପ ଗାଡି ସଜାଡିବାକୁ ପ୍ରଶାସନ ନିକଟରେ ମାସ ମାସ ଧରି ଗୁହାରି କରି ସୁଦ୍ଧା ଫଳ ଶୂନ । ଏମିତି ଗାଡି ଦେଇ ଲାଭ କଣ ? ଦିଅନ୍ତୁ ତ ଭଲ ଗାଡି ଦିଅନ୍ତୁ ନଚେତ ଗାଡିଟି ଫେରାଇ ନିଅନ୍ତୁ ବୋଲି ହାତ ଯୋଡ଼ି ଜଣେ ଭିନ୍ନକ୍ଷମ ଯୁବକ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି I
କେନ୍ଦୁଝର ସଦର ବ୍ଲକ ଗୋବିନ୍ଦପୁର ଗ୍ରାମର ଭିନ୍ନକ୍ଷମ ଶିବନାରାୟଣ ପରିଡାଙ୍କୁ ୨୦୨୪ ମସିହା ମିଳିଥିବା ଟ୍ରାଇ ସାଇକେଲ ଗାଡିଟି ତିନି ମାସ ହେବ ଅଚଳ ହୋଇପଡିଛି I ମରାମତି ପାଇଁ ତିନି ମାସ ହେବ ସେ ଜିଲ୍ଲା ପ୍ରଶାସନ ନିକଟରେ ଗୁହାରି କରିଥିଲେ ସୁଦ୍ଧା କିଛି ସୁଫଳ ମିଳି ପାରୁନାହିଁ ବରଂ ତାଙ୍କୁ ଗାଡି ସଜାଡିବାକୁ ହେଲେ ଗାଡି ନେଇ ଭୁବନେଶ୍ୱର ଆସିବାକୁ ଫୋନ ଆସିଲା | ତେଣୁ ସେ ପୁଣି ସୋମବାର ଦିନ ଗାଡିଟି ସଜାଡିବାକୁ ଜିଲ୍ଲାପାଳ ଙ୍କ ନିକଟରେ ଲିଖିତ ଅନୁରୋଧ କରିଛନ୍ତି । ଏହା ସହ ସେ କହିଛନ୍ତି ଯଦି ତାଙ୍କୁ ଗାଡି ଦିଆଯାଉଛି ତେବେ ଏଠାରେ ଏକ ସର୍ଭିସିଂ ସେଣ୍ଟର କରାଯାଉ । ଯଦି ଗାଡିଟି ନ ସଜାଡିବେ ତେବେ ହାତ ଯୋଡି ଅନୁରୋଧ କରୁଛୁ ଗାଡ଼ିଟି ପ୍ରଶାସନ ଫେରାଇ ନିଅନ୍ତୁ ।
ଅନ୍ୟପଟେ, ଓଡ଼ିଶା ବିକଳାଙ୍ଗ ମଞ୍ଚର କେନ୍ଦୁଝର ଜିଲ୍ଲା ସଭାପତି ମଧ୍ୟ ଜିଲ୍ଲା ପ୍ରଶାସନ ବିରୁଦ୍ଧରେ ଆଣିଛନ୍ତି ସାଂଘାତିକ ଅଭିଯୋଗ । ପୂର୍ବ ବର୍ଷ ସମଗ୍ର ଜିଲ୍ଲାରେ ଦିବ୍ୟାଙ୍ଗ ପାଲା ଦଳ ପାଲା ପରିବେଷଣ କରି କିଛି ଅର୍ଥ ରୋଜଗାର କରିଥିଲେ। ହେଲେ ଏହି ବର୍ଷ ଅଣ ଭିନ୍ନକ୍ଷମ ମାନେ ପାଲା ପରିବେଷଣ ପାଇଁ ଜିଲ୍ଲା ସାମାଜିକ ବିଭାଗ ପକ୍ଷରୁ ନିର୍ଦ୍ଦେଶ ପାଇଁ ଦିବ୍ୟାଙ୍ଗଙ୍କ ପେଟ କୁ ନାତ ମାରିଥିବା ଅଭିଯୋଗ କରିଛନ୍ତି | ପ୍ରତି ବ୍ଲକରେ ଭୀମଭୋଇ ସାମର୍ଥ୍ୟ ଶିବିର ସଠିକ ନିୟମରେ ହେଉ ନ ଥିବାବେଳେ ଦିବ୍ୟାଙ୍ଗ ମାନଙ୍କ ନିମନ୍ତେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଶୌଚାଳୟ ମଧ୍ୟ ବ୍ୟବହାର ଉପଯୋଗୀ ନଥିବା ସେ ଅଭିଯୋଗ କରିଛନ୍ତି । ସେପଟେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କହିଛନ୍ତି, ଖରାପ ଗାଡି ଗୁଡ଼ିକ ଅତି ଶୀଘ୍ର ସଜଡା ଯିବ ଓ ବିକଳାଙ୍କମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ସଚେତନତା ପାଲା କରିବାକୁ ସୁଯୋଗ ଦିଆଯିବ । ସେ ଯାହାବି ହେଉ ନା କାହିଁକି ଭିନ୍ନକ୍ଷମ ମାନଙ୍କ ପ୍ରତି ଜିଲ୍ଲା ପ୍ରଶାସନ ସମ୍ବେଦନଶୀଳ ହେବା ଆବଶ୍ୟକ |
ଭିନ୍ନକ୍ଷମଙ୍କୁ ଦିଆଯାଉଛି ନିମ୍ନମାନର ସହାୟତା
