ଶିକ୍ଷା ବିଭାଗର ବିକଳ ଚିତ୍ର

କେନ୍ଦ୍ର ଓ ରାଜ୍ୟ ସରକାର ପିଲାଙ୍କ ଶିକ୍ଷା ପାଇଁ ବିଭିନ୍ନ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ଶ୍ରେଣୀଗୃହ ନଥିବା ଯୋଗୁଁ ଆଜି ବି ଛାତ୍ରଛାତ୍ରୀ ବିଦ୍ୟାଳୟ ବାହାରେ ଏକ ଜାଇକା ଗୃହ ବାରଣ୍ଡାରେ ବସି ପାଠ ପଢୁଛନ୍ତି । ଶିକ୍ଷା ବିଭାଗର ଏଭଳି ଏକ ବିକଳ ଚିତ୍ର ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ନାରାୟଣପ୍ରସାଦ ପଞ୍ଚାୟତର ଅନୁଗୁଭା ସରକାରୀ ପ୍ରାଥମିକ ବିଦ୍ୟାଳୟରେ । ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶେଣୀ ପର୍ଯ୍ୟନ୍ତ ୩୨ ଜଣ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ୨ଜଣ ଶିକ୍ଷକ ଅଛନ୍ତି। ସେହିପରି ରୋଷଇ ଗୃହକୁ ବିଦ୍ୟାଳୟର କାର୍ଯ୍ୟାଳୟ ଭାବେ ବ୍ୟବହାର କରାଯାଇଛି । ନିମ୍ନମାନର ନିର୍ମାଣ କାର୍ଯ୍ୟ ଏବଂ ରକ୍ଷଣା ବେକ୍ଷଣ ଅଭାବରୁ ଶ୍ରେଣୀଗୃହ ଧୀରେ ଧୀରେ ନଷ୍ଟ ହେବାରେ ଲାଗିଛି । ଶ୍ରେଣୀଗୃହ ବିପଦ ସଙ୍କୁଳ ଅବସ୍ଥାରେ ଥିବାରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟି କାରଣରୁ ୨୦୦୩ ମସିହାରୁ ଆଉ ଶ୍ରେଣୀ ଗୃହରେ ଶିକ୍ଷାଦାନ କରାଯାଉ ନାହିଁ । ପୁରୁଣା ଶ୍ରେଣୀଗୃହ ବିପଦ ସଂକୁଳ ଅବସ୍ଥାରେ ଥିବାବେଳେ ସ୍ଥାନ ଅଭାବରୁ ୬ ମାସ ଗଛ ତଳେ ପାଠ ପଢା ଯାଉଥିଲା ଏବଂ ଅଢେଇ ବର୍ଷ ହେବ ବର୍ତ୍ତମାନ ପର୍ଯ୍ୟନ୍ତ ବନ ବିଭାଗର ଜାଇକା ଗୃହର ବାରଣ୍ଡାରେ ଛାତ୍ରଛାତ୍ରୀଙ୍କୁ ବସାଇ ପାଠ ପଢ଼ାଯାଉଛି । ସେହିପରି କାର୍ଯ୍ୟାଳୟ ଭାବେ ରୋଷେଇ ଗୃହକୁ ବ୍ୟବହାର କରାଯାଉଥିବାରୁ ଅନ୍ୟ ସ୍ଥାନରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ସମୟରେ ସମସ୍ୟା ହେଉଥିବା ଅଭିଯୋଗ ହୋଇଛି । ତୁରନ୍ତ ଏହି ବିଦ୍ୟାଳୟରେ ନୂତନ ଶ୍ରେଣୀଗୃହ ନିର୍ମାଣ ପୂର୍ବକ ସମସ୍ୟାର ସମାଧାନ ଦିଗରେ ରାଜ୍ୟ ସରକାର ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *