ରାଜନୀତିରେ ସବୁବେଳେ ନିଜ ସ୍ୱାର୍ଥ ଦେଖି ପଟ୍ଟ ପରିବର୍ତ୍ତନ କରୁଥିବା ପଲଟୁରାମ ଚାଚା ନୀତିଶ କୁମାର ନିରାଶ | ବିହାର ପାଇଁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବାକୁ ଦାବି କରିଆସୁଥିବା ବିଜେପିର ସହଯୋଗୀ ଜେଡିୟୁ ଦଳକୁ ଶକ୍ତ ଝଟକା ଲାଗିଛି। ନୀତୀଶ କୁମାରଙ୍କ ଜେଡିୟୁ ସହାୟତାରେ ବିଜେପି କେନ୍ଦ୍ରରେ ସରକାର ଗଠନ କରିଛି। କିନ୍ତୁ ଜେଡିୟୁ ର ଦାବିକୁ ପ୍ରାଧାନ୍ୟ ଦେଉନାହାଁନ୍ତି କେନ୍ଦ୍ର ସରକାର |। ବିହାରକୁ ସ୍ୱତନ୍ତ୍ର ରାଜ୍ୟ ର ମାନ୍ୟତା ଦେବାକୁ ଜେଡିୟୁ ପ୍ରଥମରୁ ଦାବି କରି ଆସୁଥିଲା। କିନ୍ତୁ ଆଜି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ କୌଣସି ଯୋଜନା ନାହିଁ ବିହାରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବାର। ଜେଡିୟୁ ସାଂସଦ ରାମପ୍ରିତ ମଣ୍ଡଳ ଲୋକସଭାରେ ଆଜି ଅର୍ଥ ମନ୍ତ୍ରଣାଳୟକୁ ପ୍ରଶ୍ନ କରିଥିଲେ ଯେ ବିହାରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ କରିବାକୁ କୌଣସି ଯୋଜନା ଅଛି କି ? ଏହାର ଉତ୍ତରରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ କହିଥିଲେ “ବିହାରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବାର କାରଣ କିଛି ନାହିଁ। କାରଣ ପୂର୍ବରୁ ବିହାର ପକ୍ଷରୁ କରାଯାଇଥିବା ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରସ୍ତାବକୁ ଗୋଟିଏ ଇଣ୍ଟର ମିନଷ୍ଟରିଆଲ ଗ୍ରୁପ ଦ୍ୱାରା ବିଚାର କରାଯାଇଥିଲା।
୨୦୧୨ ମାର୍ଚ୍ଚ ୩୦ରେ ଆଇଏମଜି ଏହି ସମ୍ପର୍କରେ ଏକ ରିପୋର୍ଟ ଦେଇଥିଲା। ଆଇଏମଜି କହିଥିଲା ଯେ ଏନଡିସି ରଖିଥିବା ସମସ୍ତ ସର୍ତ୍ତ ଅନୁସାରେ ବିହାରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ମିଳିବାର କୌଣସି କାରଣ ନାହିଁ | ଏବେ କେନ୍ଦ୍ର ସରକାର ବିହାରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେଉଛନ୍ତି କି ନାହିଁ ଏବଂ ଜେଡିୟୁ ସୁପ୍ରିମୋ ନୀତୀଶ କୁମାରଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ଏବେ ସମସ୍ତଙ୍କ ନଜର ରହିଛି। କାରଣ ଏହି ପ୍ରସଙ୍ଗକୁ ନେଇ ପୂର୍ବରୁ ଅନେକ ଥର ଜେଡିୟୁ ଏବଂ ବିଜେପି ମଧ୍ୟରେ ମତପାର୍ଥକ୍ୟ ଦେଖିବାକୁ ମିଳିଛି। ଏପରି କି ଆଜି ବସିଥିବା ବଜେଟ ଅଧିବେଶ ପୂର୍ବରୁ ସର୍ବଦଳୀୟ ବୈଠକରେ ମଧ୍ୟ ଜେଡିୟୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା କଥା ଉଠାଇଥିଲା। ତଥାପି ଜେଡିୟୁର ଏହି ଦାବି କୁ ଗ୍ରହଣ କରିନାହାଁନ୍ତି କେନ୍ଦ୍ର ସରକାର। ଜେଡିୟୁ ର ମୁଖ୍ୟ ତଥା ବିହାର ର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରଥମେ ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିଲେ। କିନ୍ତୁ ୨୦୨୪ ନିର୍ବାଚନ ପୂର୍ବରୁ ଇଣ୍ଡିଆ ମେଣ୍ଟରୁ ବାହାରି ବିରୋଧୀ ବିଜେପି ସହ ହାତ ମିଳାଇଥିଲେ। ଏଥିସହ ବିଜେପିକୁ ମଧ୍ୟ କେନ୍ଦ୍ରରେ ସମର୍ଥନ ଘୋଷଣା କରିଛନ୍ତି।
ଚଳିତ ନିର୍ବାଚନରେ ବିଜେପି ଏକାକୀ ସରକାର ଗଠନ କରିବାକୁ ସକ୍ଷମ ହୋଇନାହିଁ। ତେଣୁ ନୀତୀଶ କୁମାର ଓ ଏନ ଚନ୍ଦ୍ରବାବୁ ନାଇଡୁଙ୍କ ସମର୍ଥନରେ ଦଳ ଏବେ କେନ୍ଦ୍ରରେ ଶାସନ କରୁଛି। ଜେଡିୟୁ ର ଏତେ ବଡ ସମର୍ଥନ ପରେ ମଧ୍ୟ ଆଜି ବିହାର କୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି କୁ ଗ୍ରହଣ କରିନାହାଁନ୍ତି କେନ୍ଦ୍ର ସରକାର | ତେବେ ଏହା ପରେ ନୀତୀଶ କୁମାର ଏନଡିଏରୁ ଓହରି ଯିବେ କି ବୋଲି ପ୍ରଶ୍ନ ଉଠିବା ଏବେ ଆରମ୍ଭ ହୋଇଛି। ସେପଟେ କେନ୍ଦ୍ର ସରକାର ସହଯୋଗୀ ଜେଡିୟୁର ପ୍ରମୁଖ ଦାବିକୁ ଗ୍ରହଣ ନ କରିଥିବାରୁ ବିହାରର ପ୍ରମୁଖ ବିରୋଧୀ ଦଳ ଆରଜେଡି ଏହାକୁ କଟାକ୍ଷ କରିଛି। ଆରଜେଡି କହିଛି, “ନୀତୀଶ କୁମାର ଓ ଜେଡିୟୁର ନେତାମାନେ କେନ୍ଦ୍ରରେ କ୍ଷମତାର ଫଳକୁ ଉପଭୋଗ କରନ୍ତୁ। ଏଥିସହ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତାକୁ ନେଇ ନିଜର ରାଜନୀତିକ ଡ୍ରାମା ଜାରି ରଖନ୍ତୁ।”