ଫ୍ଲିପକାର୍ଟରୁ ଆଇଫୋନ୍‌ ମଗାଇଲେ, ପରେ ତଣ୍ଟି ଚିପି ମାରିଦେଲେ !

ଲକ୍ଷ୍ମୌ : ମହଙ୍ଗା ପଡିଲା ଗ୍ରାହକଙ୍କୁ ଡେଲିଭରି କରିବା । ଅକାଳରେ ଚାଲିଗଲା ଜଣେ ଡେଲିଭରି ବୟ ର ଜୀବନ। ଜଣେ ଗ୍ରାହକ ଫ୍ଲିପକାର୍ଟରେ ଆଇଫୋନ୍ ମଗାଇଥିଲେ। ଡେଲିଭରି ବୟ ଫୋନ୍‌ ଦେଇ ଟଙ୍କା ମାଗିବାରୁ ଚିପି ଦେଲେ ତଣ୍ଟି। ଏପରି ଏକ ସଙ୍ଗୀନ ଅଭିଯୋଗ ଆସିଛି ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ମୌରୁ। ଏହି ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତର ସହଯୋଗୀକୁ ଅଟକ ରଖି ପଚରାଉଚରା କରୁଛି ପୁଲିସ। ସୂଚନା ଅନୁସାରେ, ଲକ୍ଷ୍ମୌରେ ରହୁଥିବା ଗଜାନନ ଫ୍ଲିପକାର୍ଟରେ ଆଇଫୋନ୍ ମଗାଇଥିଲେ। ଗତ ୨୩ ତାରିଖରେ ଡେଲିଭରି ବୟ ଗଜାନନଙ୍କୁ ଫୋନ୍ ନିଜ ଘରେ ଦେଇଥିଲେ। ଆଇଫୋନର ମୂଲ୍ୟ ଦେଢ଼ ଲକ୍ଷ ଥିବାବେଳେ ଗଜାନନଙ୍କୁ ଟଙ୍କା ମାଗିଥିଲେ ଡେଲିଭରି ବୟ ଭରତ। ଗଜାନନ ଟଙ୍କା ଦେବାକୁ ଅରାଜି ହୋଇଥିଲେ। ଏହାକୁ ନେଇ ଗଜାନନ ଓ ଭରତଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଗଜାନନ ଉତ୍ତ୍ୟକ୍ତ ହୋଇ ଭରତର ତଣ୍ଟିଚିପି ଦେଇଥିଲା ପରେ ତାଙ୍କ ମୃତଦେହକୁ ଅଖା ଭିତରେ ପୂରାଇ ଗଣ୍ଡକୁ ଫିଙ୍ଗି ଦେଇଥିବା ଜଣାପଡିଛି । ଏହି ହତ୍ୟାକାଣ୍ଡରେ ଗଜାନନଙ୍କୁ ତାଙ୍କର ଜଣେ ସହଯୋଗୀ ସହଯୋଗ କରିଥିଲେ।

ଭରତ ୨ ଦିନ ପର୍ଯ୍ୟନ୍ତ ଘରକୁ ଫେରିନଥିଲେ। ପରିବାର ଲୋକେ ଭରତକୁ ଚାରିଆଡେ ଖୋଜାଖୋଜି କରିଥିଲେ, ହେଲେ କୋଉଠି ପାଇନଥିଲେ। ପରେ ୨୫ ଡିସେମ୍ବରରେ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ। ପୁଲିସ ଭରତଙ୍କ କଲ୍‌ ଡିଟେଲ୍ସ ଯାଞ୍ଚ କରିବା ସହ ସେ ଶେଷ ଥର ପାଇଁ କେଉଁଠିକି ଯାଇଥିଲେ ତାର ଖୋଳତାଡ଼ କରିଥିଲା। ପରେ ପୁଲିସ ଗଜାନନର ସହଯୋଗୀକୁ ଅଟକ ରଖି ପଚରାଉଚରା କରିଥିଲା। ଅଭିଯୁକ୍ତ ସହଯୋଗୀ ପୁଲିସ ସମ୍ମୁଖରେ ସବୁ ସତ ମାନିଥିଲା। ପୁଲିସ ମୁଖ୍ୟ ଅଭିଯୁକ୍ତ ଗଜାନନଙ୍କୁ ଧରିବାକୁ ଖୋଳତାଡ଼ ଆରମ୍ଭ କରିଛି। ହେଲେ ଏପର୍ଯ୍ୟନ୍ତ ଭରତଙ୍କ ମୃତଦେହ ପୋଲିସକୁ ମିଳିନାହିଁ।

Leave a Reply

Your email address will not be published. Required fields are marked *