ରାଜଧାନୀ ଛାତି ଉପରେ ବେଆଇନ ଭାବେ ନିର୍ମାଣ ହୋଇଛି ବିଜେଡିର ପାର୍ଟି ଅଫିସ। ଖୁବଶୀଘ୍ର ତଦନ୍ତ ହେବ ଶଙ୍ଖ ଭବନ | ଆଜି ଏମିତି କିଛି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ| ବିଜେଡିର ଶଙ୍ଖ ଭବନକୁ ନେଇ ଅନେକ ଦିନ ଧରି ଅଭିଯୋଗ ହୋଇ ଆସୁଥିବାବେଳେ ଏବେ ଏହାର ତଦନ୍ତ ନେଇ ପ୍ରତିଶ୍ରୁତି ଦେଇଛନ୍ତି ମନ୍ତ୍ରୀ।
ଅଭିଯୋଗ ଅନୁସାରେ ସଡ଼କ କିସମ ଜାଗାକୁ ଘରବାଡ଼ିରେ ପରିବର୍ତ୍ତନ କରି ବେଆଇନ ଭାବେ ନିର୍ମାଣ ହୋଇଛି ଶଙ୍ଖ ଭଵନ। ବରଂ ସେତିକି ନୁହେଁ ସବୁ ନିୟମ କାନୁନକୁ ଫୁ କରି ଏହି ଜାଗାକୁ ସରକାରଙ୍କଠାରୁ ଶାଗମାଛ ଦରରେ କିଣି ନେଇଥିବା ଅଭିଯୋଗ ମଧ୍ୟ ହୋଇଛି। ଯାହାଦ୍ବାରା ରାଜ୍ୟ ସରକାରଙ୍କୁ କୋଟି କୋଟି ଟଙ୍କାର ରାଜସ୍ବ କ୍ଷତି ମଧ୍ୟ ଘଟିଛି। ମୋଟ ୪ଟି ପ୍ଲଟକୁ ମିଶାଇ ୧ ଏକର ୧୮୩ ଡିସିମିଲି ଜାଗା ଉପରେ ନିର୍ମାଣ ହୋଇଛି ଶଙ୍ଖ ଭବନ। ସେଗୁଡ଼ିକ ହେଉଛି ଗଙ୍ଗନଗର ମୌଜାର ପ୍ଲଟ୍ ନଂ ୭୯୭, ପ୍ଲଟ୍ ନଂ ୮୦୦, ପ୍ଲଟ୍ ନଂ ୭୯୭/୮୪୯ ଏବଂ ପ୍ଲଟ୍ ନଂ ୭୯୮। ପ୍ରଥମ ତିନୋଟି ପ୍ଲଟର କିସମ ଘରବାଡ଼ି ଥିବାବେଳେ ଚତୁର୍ଥ ପ୍ଲଟ୍ ଅର୍ଥାତ୍ ୭୯୮ଜାଗାର କିସମ ହେଉଛି ରୋଡ୍ ବା ସଡ଼କ।
ଏହି ଜାଗାକୁ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ଆବେଦନକାରୀ ବିଜେଡିକୁ ଲିଜ୍ ସୂତ୍ରରେ ଦେଇଛନ୍ତି। ଏଥିସହିତ ଏହାର କିସମ ପରିବର୍ତ୍ତନ ହୋଇପାରିବ ନାହିଁ ବୋଲି ମଧ୍ୟ ଲିଜ୍ ଡିଲରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି। ଯାହାର ଲେଟର ମଧ୍ୟ ସାମ୍ନାକୁ ଆସିଛି, ମାତ୍ର ଏହି ପ୍ଲଟକୁ ଅନ୍ୟ ତିନୋଟି ଘରବାଡ଼ି ପ୍ଲଟ୍ ସହ ମିଶାଯାଇ ଶଙ୍ଖ ଭବନ ନିର୍ମାଣ କରାଯାଇଛି। ତାହା ପୁଣି ସରକାରଙ୍କ ଅନୁମୋଦନରେ ନିର୍ମାଣ କରାଯାଇଛି । ଅର୍ଥାତ୍ ଏକ ପ୍ରାଇଭେଟ୍ ପାର୍ଟି ବା ବିଜେଡି ଦଳକୁ ସାଧାରଣ ଜନତାଙ୍କ ବ୍ୟବହାର ପାଇଁ ଉଦ୍ଦିଷ୍ଟ ଥିବା ସଡ଼କ ଉପରେ ଘର ନିର୍ମାଣ ପାଇଁ ଅନୁମତି ଦିଆଯାଇଛି। ଏଭଳି ଦୁର୍ନୀତିର ତଦନ୍ତ ପାଇଁ ଏବେ ଅଣ୍ଟା ଭିଡ଼ିଛନ୍ତି ମୋହନ ସରକାର।