ଏପଟେ ଭଙ୍ଗା ହେଲା ସେପଟେ ଘୋଷଣା ହେଲା

ଆସନ୍ତା କାଲିଠାରୁ ବିଧାନସଭାର ଅଧିବେଶନ ଆରମ୍ଭ ହେବାକୁ ଯାଉଛି | ଏହାପୂର୍ବରୁ ଘୋଷଣା କରାଯାଇଛି କଂଗ୍ରେସ ବିଧାୟକ ଦଳ ନେତା | ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀ ପତିଙ୍କୁ ଝଟକା ଲାଗିଥିବା ବେଳେ କଂଗ୍ରେସ ବିଧାୟକ ଦଳ ନେତା ଭାବରେ ରାମଚନ୍ଦ୍ର କାଡାମ ଙ୍କୁ ଚୟନ କରାଯାଇଛି | ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀରୁ ତିନି ତିନି ଥରର ବିଧାୟକ ରାମଚନ୍ଦ୍ର କାଡ଼ାମଙ୍କୁ ବିଧାୟକ ଦଳର ନେତା ରୂପେ ଦାୟିତ୍ୱ ମିଳିଛି । ଠିକ ସେହିପରି ପ୍ରଥମ ଥର ବିଧାୟକ ହୋଇଥିବା ଅଶୋକ ଦାସଙ୍କୁ ମଧ୍ୟ ବିଧାୟକ ଦଳର ଉପନେତା ରୂପେ ଦାୟିତ୍ବ ମିଳିଛି । ଏନେଇ ଏବେ AICC ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି |

ଏହାଛଡା ବିଧାୟକ ରାଜନ ଏକ୍କା ହୋଇଛନ୍ତି କଂଗ୍ରେସ ଦଳର ମୁଖ୍ୟ ସଚେତକ। ସେପଟେ ଓଡିଶା ପ୍ରଦେଶ କମିଟିକୁ ଭଙ୍ଗ କରିଛି AICC । AICC ସଭାପତିଙ୍କ ଅନୁମୋଦନ କ୍ରମେ ସବୁ କମିଟି ଭଙ୍ଗ ହୋଇଥିବା ସୂଚନା ମିଳିଛି । ପିସିସି ଓ କାର୍ଯ୍ୟକାରୀ କମିଟିକୁ ମଧ୍ୟ ଭଙ୍ଗ କରାଯାଇଛି । ଜିଲ୍ଲା, ବ୍ଲକ୍ ଓ ମଣ୍ଡଳସ୍ତରୀୟ ସ୍ତରୀୟ କମିଟି ଗୁଡିକୁ ମଧ୍ୟ ଭାଙ୍ଗି ଦିଆଯାଇଛି । ନୂଆ କମିଟି ଗଠନ ହେବା ଯାଏ ବର୍ତ୍ତମାନର ଜିଲ୍ଲା ସଭାପତି କାମଚଳା ସଭାପତି ଦାୟିତ୍ୱରେ ରହିବେ ।

ବର୍ତ୍ତମାନ ଚର୍ଚ୍ଚା ହେଉଛି କିଏ ହେବେ ଓଡ଼ିଶା କଂଗ୍ରେସ ର ନୂଆ ପିସିସି ସଭାପତି ? ଏହି ରେସରେ ରହିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ନେତା ଭକ୍ତ ଚରଣ ଦାସ,ଏବଂ ମହମ୍ମଦ ମୋକିମ । ସେହିପରି ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ନାଁକୁ ବି ନେଇ ଚର୍ଚ୍ଚା ହେଉଛି । ଚଳିତ ନିର୍ବାଚନରେ କଂଗ୍ରେସ ଓଡ଼ିଶାରେ ୨୦୧୯ ଆପେକ୍ଷା ୨୦୨୪ ଭଲ ପ୍ରଦର୍ଶନ କରିବା ସହ କଂଗ୍ରେସ ବିଧାୟକଙ୍କ ସଂଖ୍ୟା ୯ରୁ ୧୪କୁ ବୃଦ୍ଧି ପାଇଛି । ତେଣୁ ଆଗକୁ ରାଜ୍ୟରେ ସଂଗଠନକୁ ଆହୁରି ଅଧିକ ମଜଭୁତ କରିବାକୁ ଲକ୍ଷ୍ୟ ରଖିଛି କଂଗ୍ରେସ |

Leave a Reply

Your email address will not be published. Required fields are marked *