ନୂଆପଡ଼ା ଉପନିର୍ବାଚନ, ଜୟ ଢୋଲକିଆ ହିଁ ବିଜେପିର ନୂଆପଡ଼ା ପ୍ରାର୍ଥୀ

ନୂଆପଡା: ବଡ଼ ସୂଚନା ଦେଲେ ସାଂସଦ । ଜୟ ଢୋଲକିଆ ହେବେ ବିଜେପିର ନୂଆପଡ଼ା ପ୍ରାର୍ଥୀ। ପୂର୍ବରୁ ସବୁ କିଛି ଡିଲ ସରିଥିଲା କେବଳ ଘୋଷଣାକୁ ଅପେକ୍ଷା ଥିଲା। ବାରମ୍ବାର ଗରମ ହେଉଥିବା ରାଜନୀତି ମଧ୍ୟରେ ବଡ଼ ଅପଡେଟ ଦେଇଦେଲେ ବିଜେପି ସାଂସଦ । ବହୁ ଅପେକ୍ଷା ଓ କଳ୍ପନା ଜଳ୍ପନା ମଧ୍ୟରେ ଜୟ ଢୋଲକିଆ ହିଁ ବିଜେପିରୁ ପ୍ରାର୍ଥୀ ହେବେ ଏକଥା ଏକ ପ୍ରକାର ସ୍ପଷ୍ଟ କରିଛନ୍ତି କଳାହାଣ୍ଡି ସାଂସଦ ସୁଜିତ କୁମାର । ବିଜେପି ନୂଆପଡ଼ା ଉପ-ନିର୍ବାଚନ ପାଇଁ ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରିବ। ଆସନ୍ତା ୧୬ ତାରିଖରେ ସେ ନାମାଙ୍କନ ଦାଖଲ କରିବେ । ଏହା ସହିତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୧୬ ତାରିଖରେ ନୂଆପଡ଼ା ଗସ୍ତ କରିବେ। ଆଉ ନାମାଙ୍କନ ଦାଖଲ ସମୟରେ ମୋହନ ନିଜେ ଉପସ୍ଥିତ ରହିବେ। ସେହିଦିନ ପ୍ରାୟ ୨ ହଜାରରୁ ଅଧିକ କଂଗ୍ରେସ ଏବଂ ବିଜେଡି କର୍ମୀ ହାତ ଏବଂ ଶଙ୍ଖ ଛାଡି ପଦ୍ମ ଶିବିରରେ ସାମିଲ ହେବେ ବୋଲି ସୂଚନା ଦେଇଛନ୍ତି ବିଜେପି ରାଜ୍ୟସଭା ସାଂସଦ ସୁଜିତ କୁମାର । ତେବେ ନୂଆପଡ଼ା ଉପ-ନିର୍ବାଚନ ପାଇଁ ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କୁ ବିଜେପି ଦେଇଥିଲା ଗୁରୁ ଦାୟିତ୍ୱ । ସୁଜିତ ମଧ୍ୟ ନିର୍ବାଚନୀ ରଣଭୂମିକୁ ଯାଇ ସ୍ଥିତି ପରଖିଥିଲେ ଓ ଜୟଙ୍କ ସ୍ଥାନ ପକ୍କା କରିବା ପାଇଁ ମଧ୍ୟ ସମସ୍ତ ପ୍ରକାରର ଷ୍ଟ୍ରାଟେର୍ଜୀକୁ ଆପଣେଇଥିଲେ । ଭୋଟରଙ୍କ ସହ ମିଶି ନୂଆପଡ଼ାବାସୀଙ୍କ ମଧ୍ୟରେ ବିଜେପିର ଶିବିରକୁ ମଜଭୁତ କରିବା ପାଇଁ କରିଥିଲେ ସମସ୍ତ ପ୍ରକାରର ଉଦ୍ୟମ । ଓ ସେଥିରେ ସେ ସଫଳ ମଧ୍ୟ ହୋଇଛନ୍ତି । ତେବେ ପଶ୍ଚିମ ଓଡ଼ିଶା ମାଟି ପାଣି ପବନରେ ବଡ଼ ହୋଇଛନ୍ତି ସୁଜିତ କୁମାର । ସେଠାକାର ମାହୋଲ ଓ ଭୋଟରଙ୍କ ମିଜାଜକୁ ମଧ୍ୟ ସେ ପାଖରୁ ପରଖିଛନ୍ତି । ଦିବଙ୍ଗତ ନେତା ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ବିଜେଡି ଗଡ଼କୁ କିପରି ହାତମୁଠାକୁ ଅଣାଯିବ ସେନେଇ ଦଳ ପକ୍ଷରୁ ଦିଆଯାଇଥିବା ଗୁରୁଦାୟିତ୍ୱକୁ ସେ ସଠିକ ଭାବେ ବହନ ବି କରୁଛନ୍ତି । ତେବେ ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେପି ତାର ପ୍ରାର୍ଥୀକୁ ବିଧିବଦ୍ଧ ଭାବେ ଘୋଷଣା କରିନାହିଁ । କିନ୍ତୁ ଯେହେତୁ ସୁଜିତ କୁମାରଙ୍କୁ ଉପନିର୍ବାଚନର ଦାୟିତ୍ୱ ଦିଆଯାଇଛି, ତାଙ୍କ ପ୍ରତିକ୍ରିୟା ଦଳୀୟ ନିଷ୍ପତ୍ତି ବୋଲି ମଧ୍ୟ କୁହାଯାଉଛି । ତେବେ ଯାହା ଆକଳନ କରାଯାଉଥିଲା ଯେ, ଜୟ ବିଜେପିରେ ମିଶିବା ପରେ ତାଙ୍କୁ ହିଁ ଦଳ ପ୍ରାର୍ଥୀ କରିବ, ଆଉ ଏବେ ସୁଜିତ କୁମାରଙ୍କ ପ୍ରତିକ୍ରିୟା ହିଁ ଏକଥାକୁ ଏକ ପ୍ରକାରର ସ୍ପଷ୍ଟତା ଆଡ଼କୁ ନେଇଯାଉଛି ।

Leave a Reply

Your email address will not be published. Required fields are marked *