ଜମିଜମା ବିବାଦ ନେଲା ମହିଳାଙ୍କ ଜୀବନ

କୋରାପୁଟ: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅନ୍ତର୍ଗତ ପରଟା ଗ୍ରାମରେ ଜମିଜମା ବିବାଦରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଝୁମି ପ୍ରଧାନିକୁ ହତ୍ୟା ଘଟଣାରେ ୬ ଜଣ ଅଟକ ଥିବା ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ନନ୍ଦପୁର ପୁଲିସ । ସୂଚନାଯୋଗ୍ୟ ଯେ, ଗତ ଶନିବାର ଦିନ ଝୁମିଙ୍କ ଶବ ବ୍ୟବଚ୍ଛେଦ ପରେ ପୁଛାଉଣୀରେ ଶବ ସଂସ୍କାର କରାଯାଇଥିଲା । ଶବ ବ୍ୟବଚ୍ଛେଦ ପରେ ଘଟଣାରେ ସଂପୃକ୍ତ ସନ୍ଦିଗ୍ଧ ରଥ ଗୋଲରି, ସୁକ୍ରା ଗୋଲରୀ, ବୁଦୁ ଗୋଲରି, ମଙ୍ଗଳା ଗୋଲରି, ଭୂଷଣ ଦୋରା, ବଳରାମ ଦୋରାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ନନ୍ଦପୁର ଆଇଆଇସି ଅଶୋକ କୁମାର ବିଶୋଇ । ଏହି ମାମଲାରେ ଅଧିକ ତଦନ୍ତ ନେଇ ଏସଆଇ ବେଦବର ସାହୁଙ୍କୁ ଦାୟିତ୍ଵ ଦିଆଯାଇଥିବା ବେଳେ ପାଡୁଆ ଥାନା ଏସଆଇ ଦୀପକ କୁମାର ବାରିକ ସହ ଏଏସଆଇ ଗୁପ୍ତେଶ୍ୱର ଗୌଡ, ଏସଆଇ ଜ୍ୟୋତିର୍ମୟୀ ଶବର ସହ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ରହି ତଦନ୍ତରେ ସହଯୋଗ କରିଥିଲେ । ଜମିଜମା ମାମଲା ନେଇ ଗତ ୪୦ ବର୍ଷରୁ ଉର୍ଦ୍ଧ ହେବ ପରଟା ଗ୍ରାମର ଉଭୟ ଗୋଲରି ଓ ପ୍ରଧାନି ପରିବାର ମଧ୍ୟରେ ତିକ୍ତତା ଲାଗି ରହିଥିବା ସହ ନ୍ୟାୟାଳୟରେ ମାମଲା ବିଚାରାଧିନ ରହିଛି । ତେବେ ଗତ ଶନିବାର ଦିନ ବିଲକୁ ଧାନ କାଟିବାକୁ ଯାଇଥିବା ସମୟରେ ଉଭୟ ପରିବାର ମଧ୍ୟରେ ପୁଣି କଥା କଟାକଟି ସହ ଉତ୍ତେଜନା ଦେଖା ଦେଇଥିଲା । ଅନ୍ୟପକ୍ଷେ ଝୁମିଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ନେଇ ନନ୍ଦପୁର ଥାନାରେ ଅଭିଯୋଗ ହେବା ପରେ ପୋଲିସ ଜୋରଦାର ତଦନ୍ତ କରିଛି । ସେପଟେ ଏହି ହତ୍ୟା ମାମଲାରେ ଅନ୍ୟ ସହଯୋଗୀମାନେ ମଧ୍ୟ ଖୁବ ଶିଘ୍ର ଧରା ପଡ଼ିବେ ବୋଲି କହିଛନ୍ତି ଆଇଆଇସି ଶ୍ରୀ ବିଶୋଇ ।

Leave a Reply

Your email address will not be published. Required fields are marked *