ଶୀତୁଆ ଚାଦରରେ ନୂଆରୂପ ନେଇଛି କୋରାପୁଟ

କୋରାପୁଟ ରାସ୍ତାକଡରେ ସତେକି ପର୍ଯ୍ୟଟକଙ୍କ ବାଟ ଜଗିଥାଏ ଅଳସୀ ଫୁଲ । ସେହି ଅଳସୀ ଫୁଲକୁ ଦେଖି ଅଟକି ଯାଆନ୍ତି କାହିଁ କେତେ ପର୍ଯ୍ୟଟକ । କିଏ କୁହେ ତାକୁ ଶୀତୁଆ କାକରରେ ଫୁଲେଇ ହେବା ତା ଗୁଣ ତ ଆଉ କିଏ କୁହେ ସେ କବିର ମନ । କେବେ ସେ ଅଳସୀ ଫୁଲକୁ ଦେଖି ମନେ କୁହେ ସେ କବିର ପ୍ରାଣ ତ ଆଉ କେବେ କୁହେ ସେ ପ୍ରେମରେ, କେବେ ଭ୍ରମରେ, କେବେ କୋହରେ, କେବେ ବିଦ୍ରୋହରେ ଆସି ମନରେ କରିଥାଏ ଘର । ଦିନକୁ ଦିନ ଶୀତ ବଢ଼ିଲାଣି। କୋରାପୁଟ ବୁଲିଯିବାକୁ ପର୍ଯ୍ୟଟକ ମାନଙ୍କର ଲମ୍ବା ଲାଇନ ଲାଗିଲାନି । କୋରାପୁଟ ରାସ୍ତା କଡରେ ବଡ ବଡ କ୍ଷେତ ସେଥିରେ ହସିବାକୁ ଲାଗିଲାଣି ଅଳସୀ ଫୁଲ । କିଏ ଗାଡି ଅଟକାଇ ଫୋଟ ଉଠାଉଛି ତ ଆଉ କିଏ କ୍ଷେତ ଭିତରେ ପଶି ଅଳସୀ ଫୁଲର ଫୋଟ ଉଠାଉଛି। ତେବେ ଶୀତ ଋତୁ ଆସିଲେ ପ୍ରକୃତି ନେଇଥାଏ ନୂଆରୂପ । ଓଡ଼ିଶାର ମିନି ସୁଇଜରଲାଣ୍ଡ କହିଲେ କୋରାପୁଟ ବେଶ ପରିଚିତ । ଏବେ ଏହି କୋରାପୁଟ ଶୀତର ପହିଲି ସ୍ପର୍ଶରେ ହଳଦିଆ ଚାଦରରେ ଗୁଡ଼ାଇ ହୋଇଛି । ଯାହାକୁ ଦେଖିବା ପାଇଁ ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକଙ୍କ ସୁଅ ଛୁଟିଛି । ସବୁଜ ପାହାଡ଼ ଓ ଥଣ୍ଡା ପବନ ମଧ୍ୟରେ, ଶୀତ ଆଗମନ ସହିତ ଅଳସି କ୍ଷେତ ସତେ ଯେମିତି ମୁରୁକି ମୁରୁକି ହସୁଛି । ତେବେ ଦେଓମାଳି ଠାରୁ ତାଲାମାଳି ପର୍ଯ୍ୟନ୍ତ ପର୍ଯ୍ୟଟନ ସ୍ଥଳୀରେ ଏହି ସମୟରେ ଦେଖାଯାଉଛି ମନଛୁଆଁ ଦୃଶ୍ୟ । ପ୍ରତିବର୍ଷ ଏହି ସମୟରେ ଅଳସିଫୁଲର ଆଗମନ ତାଙ୍କ ଜୀବନରେ ନୂଆ ଉତ୍ସାହ ଆଣିଥାଏ । ଏହି ହଳଦିଆ ରୂପ କେବଳ ଚାଷୀଙ୍କ ଖେତର ସୁନା ସ୍ୱପ୍ନ ନୁହେଁ, ପର୍ଯ୍ୟଟକ ମାନଙ୍କ ହୃଦୟ ମଧ୍ୟ ହଳଦୀ ରାଣୀର ମାୟାରେ ରଙ୍ଗିଯାଉଛି।

Leave a Reply

Your email address will not be published. Required fields are marked *