ଫିଲିପାଇନ୍ସ: ହଠାତ୍ ଆସିଲା ପ୍ରଳୟକାରୀ ବାତ୍ୟା । କିଛି ଭାବିବା ପୂର୍ବରୁ ସବୁ ମିଶାଇଦେଲା ମାଟିରେ । ବୁଡିଗଲା ଲୋକଙ୍କ ଘର । ପାଣି ବଢିବାରୁ ଜୀବଜନ୍ତୁମାନେ ବି ବିକଳରେ ରଡି କରି ଭାସିବାରେ ଲାଗିଲେ । ଦେଖନ୍ତୁ ଏହି କରାଳ ଦୃଶ୍ୟକୁ । କିପରି ଶ୍ମଶାନ ପାଲଟି ଯାଇଛି ସାରା ସହର । ମାଡି ଆସୁଛି ସୁ ସୁ ପାଣି । ଆଉ ଗାଇ ଠାରୁ ଆରମ୍ଭ କରି ବିରାଟକାୟ ସାପ ବି ହେଉଛି ଡହଳ ବିକଳ । ଭାସୁଛି ବଡ ବଡ଼ ଗାଡି । ଆଉ ଯେବେ ପାଣି କମିଯାଉଛି ଘର ଦ୍ୱାର ସବୁ ହୋଇଯାଇଛି ଛାରଖାର । ମାଟିରେ ମିଶିଯାଇଛି ଲୋକଙ୍କର ସବୁକିଛି । ପାଲଟି ଯାଇଛି ସବୁ ଅଳିଆ । ଫିଲିପାଇନ୍ସରେ ତାଣ୍ଡବ ରଚିଛି ପ୍ରଳୟକାରୀ ଘୁର୍ଣ୍ଣିଝଡ଼ । ଘୁର୍ଣ୍ଣିଝଡ଼ କାଲମେଗୀରେ ଛାରଖାର ଫିଲିପାଇନ୍ସ । ରାଚିଛି ତାଣ୍ଡବ ଲୀଳା । ଧିରେ ଧିରେ ବଢିବାରେ ଲାଗିଛି ମୃତ୍ୟୁର ହାର । ଖେଳନା ପରି ଗୋଟେ ପରେ ଗୋଟେ ଚଢି ରହିଛି ଗାଡି । ଲୋକଙ୍କର ଘର ପାଲଟି ଯାଇଛି ଅଳିଆ ଗଦା । କିଛି କ୍ଷଣର ଏହି ପ୍ରଳୟ ସାରିଦେଇଛି ଜୀବନର ପୁଞ୍ଜି । ଏହି ଟାଇଫୁନରେ ୨୪୧ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳୁଛି । ତେବେ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି । ପରିସ୍ଥିତିକୁ ନଜରରେ ରଖି ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ସରକାର । ଚାଲିଛି ଜୋରଦାର ଉଦ୍ଧାର କାର୍ଯ୍ୟ । ଚାଲିଛି ଜୋରଦାର ରିଲିଫ ଯୋଗାଣ । ଏହି ଟାଇଫୁନରେ ପବନର ବେଗ ୧୪୦ କିଲୋମିଟରରୁ ଅଧିକ ରହିଥିଲା, ପରେ ଏହା ୧୯୫କୁ ବୃଦ୍ଧି ପାଇଥିଲା । କିନ୍ତୁ ଏତିକିରେ କମିନି ଫିଲିପାଇନ୍ସର ଚିନ୍ତା । ଗୋଟିଏ ବିପଦର କ୍ଷୟକ୍ଷତି ନ ପୂରଣ ହେଉଣୁ ପୁଣି ଆସୁଛି ଆଉ ଏକ ବିପଦର ସଂକେତ । ପାଣିପାଗ ବିଭାଗର ସୂଚନା ମୁତାବିକ ମାଡି ଆସୁଛି ଆଉ ଏକ ଝଡ଼ । ଗୋଟେ ପଟେ କାଲମେଗୀ ତାଣ୍ଡବର ଉଦ୍ଧାର କାର୍ଯ୍ୟ ଆଉ ଅନ୍ୟପଟେ ଆଗାମୀ ବିପଦର ପୂର୍ବ ପ୍ରସ୍ତୁତି । ଜୋରସୋରରେ ଲାଗିପଡିଛନ୍ତି ଫିଲିପାଇନ୍ସର ସରକାର । ଏହି ଟାଇଫୁନ ଏବେ ଭିଏତନାମ ଆଡକୁ ମୁହାଁଉଛି । ଯାହାର ପ୍ରଭାବରେ ସେଠାରେ ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ସତରେ ଏହା ହିଁ ପ୍ରକୃତିର କରାଳ ରୂପ । କେବେ ଏହା ସୁନ୍ଦର ତ କେବେ ରଚିପାରେ ପ୍ରଳୟ ।
କାଲମେଗୀର ତାଣ୍ଡବ ଲୀଳା, ହଠାତ୍ ଗର୍ଜନ କରି ମାଡିଆସିଲା ଘୁର୍ଣ୍ଣିଝଡ଼
