ନୂଆଦିଲ୍ଲୀ : ଆଇସିସି ଅଧ୍ୟକ୍ଷ ହେଲେ ବିସିସିଆଇ ସମ୍ପାଦକ ଜୟ ଶାହ। ଅନ୍ତର୍ଜାତୀୟ କ୍ରିକେଟ ପରିଷଦର ନୂଆ ଅଧ୍ୟକ୍ଷ ପଦ ଆଉ କେହି ନାମାଙ୍କନ ଦାଖଲ କରି ନଥିବାରୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ଜୟ ଶାହ। ଆଇସିସିର ଅଧ୍ୟକ୍ଷ ଭାବେ ଜୟ ଶାହ ଦୁଇବର୍ଷ ପାଇଁ ପଦ ସମ୍ଭାଳିବେ ବୋଲି ଘୋଷଣା କରିଛି କ୍ରିକେଟର ସର୍ବୋଚ୍ଚ ସଂସ୍ଥା । ବର୍ତ୍ତମାନ ଆଇସିସି ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ନ୍ୟୁଜିଲାଣ୍ଡର ଗ୍ରେଗ ବାର୍କଲେଙ୍କ କାର୍ଯ୍ୟକାଳ ଆସନ୍ତା ନଭେମ୍ବର ୩୦ରେ ଶେଷ ହେବା ପରେ ଜୟ ଶାହଙ୍କ କାର୍ଯ୍ୟକାଳ ଡିସେମ୍ବର ୧ରୁ ଆରମ୍ଭ ହେବ । ନୂଆ ଦାୟିତ୍ୱ ପାଇଁ ନିର୍ବାଚିତ ହୋଇଥିବାରୁ ଶ୍ରୀ ଶାହ ଆଇସିସିକୁ ନିଜର କୃତଜ୍ଞତା ଜଣାଇଛନ୍ତି। ଏଥିସହ ସେ ଆଇସିସିର ସମସ୍ତ ସଦସ୍ୟ ମାନଙ୍କୁ ସାଙ୍ଗରେ ନେଇ କ୍ରିକେଟକୁ ସଫଳତାର ଶୀର୍ଷରେ ପହଞ୍ଚାଇବେ ବୋଲି ସେ କହିଛନ୍ତି। ଏହାସହ ଶାହ ମାତ୍ର ୩୫ ବର୍ଷ ବୟସରେ ସବୁଠାରୁ କନିଷ୍ଠ ବ୍ୟକ୍ତି ଭାବେ କ୍ରିକେଟର ସବୁଠାରୁ ବଡ଼ ସଂସ୍ଥାର ମୁଖ୍ୟ ହୋଇ ନୂଆ ରେକର୍ଡ କରିଛନ୍ତି। ସେ ୫ମ ଭାରତୀୟ ଭାବେ ଆଇସିସିର ଅଧ୍ୟକ୍ଷ ହୋଇଛନ୍ତି। ଏହା ପୂର୍ବରୁ ଜଗମୋହନ ଡାଲମିଆ, ଶରଦ ପାୱାର, ଏନ ଶ୍ରୀନିବାସନ ଓ ଶଶାଙ୍କ ମନୋହର ଆଇସିସିର ମୁଖ୍ୟ ପଦରେ ରହି ସାରିଛନ୍ତି ।
