ରିଲ୍‌ସ କରିବା ମହାଙ୍ଗା ପଡିଲା

ଇନ୍‌ଷ୍ଟାଗ୍ରାମ୍‌ରେ ରିଲ୍‌ସ କରିବା ମହାଙ୍ଗା ପଡିଲା | ରିଲ୍‌ସ କରି ଫସିଲେ ପୂର୍ବତନ ଭାରତୀୟ କ୍ରିକେଟର୍ । ଇନ୍‌ଷ୍ଟାଗ୍ରାମ୍‌ ରେ ରିଲ୍‌ସ କରି ଦିବ୍ୟାଙ୍ଗଙ୍କୁ ପରିହାସ କରିବା ମହଙ୍ଗା ପଡ଼ିଲା।ଶେଷରେ ଥାନାରେ ରୁଜୁ ହେଲା ମାମଲା । ପୂର୍ବତନ ଭାରତୀୟ କ୍ରିକେଟର୍ ଯୁବରାଜ ସିଂହ, ସୁରେଶ ରାଇନା ଓ ହରଭଜନ ସିଂହଙ୍କ ପାଇଁ ରିଲ୍‌ସ କରିବା ଏବେ ମହଙ୍ଗା ପଡ଼ିଛି । ଏମାନଙ୍କ ସହ କ୍ରିକେଟର୍ ଗୁରକୀରଟ ସିଂହ ମାନ୍‌ଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି । ଏଥିସହିତ ପାରା ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ମାନସୀ ଯୋଶୀ ସମସ୍ତଙ୍କୁ ଏହି ସ‌ମ୍ବେଦନ ହୀନ କାର୍ଯ୍ୟ ପାଇଁ ତୀବ୍ର ସମାଲୋଚନା ମଧ୍ୟ କରିଛନ୍ତି।

ଏଜ୍‌ବାଷ୍ଟନ୍‌ରେ ଖେଳାଯାଇଥିବା ୱାର୍ଲ୍ଡ ଚାମ୍ପିଅନ୍‌ସିପ୍‌ ଅଫ୍‌ ଲିଜେଣ୍ଡ୍‌ସରେ ପାକିସ୍ତାନକୁ ହରାଇ ଭାରତୀୟ ଦଳ ବିଜେତା ହୋଇଥିଲା। ଏହି ବିଜୟ ପରେ ହରଭଜନ ସାଥୀ ଖେଳାଳିମାନଙ୍କୁ ନେଇ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ରିଲ୍‌ ପୋଷ୍ଟ୍‌ କରିଥିଲେ। ୧୫ ଦିନ ଧରି ଚାଲିଥିବା ଲିଜେଣ୍ଡ୍‌ସ କ୍ରିକେଟ୍‌ ପରେ ସେମାନେ ଥକି ପଡ଼ିଥିବା ଦର୍ଶାଇ ଏହି ରିଲ୍‌ସ ଟି କରିଥିଲେ । ୧୫ ଦିନର ଲିଜେଣ୍ଡ୍‌ସ କ୍ରିକେଟ୍‌ରେ ଶରୀରର ‘ତୌବା ତୌବା’ ହୋଇଗଲା ବୋଲି ଦର୍ଶାଇବା ସହ ଶରୀରର ପ୍ରତ୍ୟେକ ଅଂଶ ଏବେ ଯନ୍ତ୍ରଣା ହେଉଛି ବୋଲି ହରଭଜନ କହୁଥିଲେ |

ଭିଡିଓରେ ହରଭଜନଙ୍କ ସହ ଯୁବରାଜ, ରାଇନା, ଗୁରକୀରଟ ସିଂହ ମାନ୍‌ ମଧ୍ୟ ଛୋଟେଇ ଛୋଟେଇ ଗୋଟିଏ ରୁମ୍‌ ଭିତରୁ ବାହାରକୁ ଆସୁଥିବାର ଦେଖିବାକୁ ମିଳୁଛି । କିନ୍ତୁ ସେମାନଙ୍କ ଏହିଭଳି ଅଙ୍ଗଭଙ୍ଗୀକୁ ଦେଖି ପାରା ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ମାନସୀ ନାପସନ୍ଦ କରିଛନ୍ତି। ଯେଉଁମାନେ ଶାରୀରିକ ଭାବେ ଭିନ୍ନକ୍ଷମ, ସେମାନଙ୍କୁ ଏହି କ୍ରିକେଟର୍‌ମାନେ ପରିହାସ କରୁଥିବା ସେ ଅଭିଯୋଗ ମଧ୍ୟ କରିଛନ୍ତି। ଏଭଳି ବ୍ୟବହାର ଦ୍ବାରା ସେହି ଭିନ୍ନକ୍ଷମ ବର୍ଗଙ୍କୁ ଅନେକ ମାତ୍ରାରେ ଆଘାତ ଲାଗିବା ସହ ସେ ଆହୁରି ମଧ୍ୟ ସେମାନଙ୍କୁ ପ୍ରଶ୍ନ କରିଛନ୍ତି ଏହି ଭିଡିଓ ଦ୍ବାରା ଲୋକମାନେ ଆପଣଙ୍କୁ କେତେ ସମ୍ମାନ ଜଣାଇବେ ? ଏହି ଭିଡିଓ ଦେଖି ଲୋକମାନେ ମଧ୍ୟ ଦିବ୍ୟାଙ୍ଗମାନଙ୍କ ପ୍ରତି ଥଟ୍ଟା, ପରିହାସ କରିବା ଆରମ୍ଭ କରିଦେବେ । ଏହି ଘଟଣା ପରେ ହରଭଜନ ଭୁଲ୍‌ ମାଗିବା ସହ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ପୃଷ୍ଠାରୁ ଉକ୍ତ ଭିଡିଓକୁ କାଢ଼ି ନେଇଛନ୍ତି।

Leave a Reply

Your email address will not be published. Required fields are marked *