ଚନ୍ଦ୍ର ମିଶନକୁ ନେଇ ଇସ୍ରୋର ବଡ଼ ସୂଚନା, ୨୦୨୮ରେ ଚନ୍ଦ୍ର ଅଭିମୁଖେ ଯିବ ଚନ୍ଦ୍ରଯାନ-୪

ଚନ୍ଦ୍ର ମିଶନର ଗୋଟେ ପରେ ଗୋଟେ ସଫଳତା ହାସଲ କରିବା ପରେ ପୁଣି ଆଉ ଏକ ମିଶନକୁ କାର୍ଯ୍ୟକାରୀ କରିବାକୁ ଯାଉଛି ଇସ୍ରୋ । ଚନ୍ଦ୍ରଯାନ-୪ ପାଇଁ ଲାଗିପଡ଼ିଥିବା ଇସ୍ରୋ ବଡ଼ ଅପଡେଟ ଦେଇଛି । ଭାରତୀୟ ମହାକାଶ ଗବେଷଣା ସଂଗଠନ ବା ଇସ୍ରୋ ଚଳିତ ଆର୍ଥିକ ବର୍ଷରେ ଆଉ ୭ଟି ଉତକ୍ଷେପଣ ଯୋଜନା ରଖିଛି । ୨୦୨୭ରେ ଭାରତର ପ୍ରଥମ ମାନବଯୁକ୍ତ ମହାକାଶ ଅଭିଯାନ ହେବାକୁ ଥିବାବେଳେ ୨୦୨୮ରେ ଚନ୍ଦ୍ରୟାନ-୪ ଚନ୍ଦ୍ର ଅଭିମୁଖେ ପ୍ରେରଣ ନିମନ୍ତେ ଲକ୍ଷ୍ୟ ରଖାଯାଇଥିବା ଇସ୍ରୋ ଅଧ୍ୟକ୍ଷ ଭି. ନାରାୟଣନ କହିଛନ୍ତି । ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟା ରେ ସେ କହିଛନ୍ତି ଯେ, ବିଜ୍ଞାନ, ପ୍ରଯୁକ୍ତି ଓ ଶିଳ୍ପ ସାମର୍ଥ୍ୟରେ ଇସ୍ରୋ ଦ୍ରୁତ ଅଭିବୃଦ୍ଧି କରୁଛି । ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ବ୍ୟବସାୟିକ ଯୋଗାଯୋଗ ସାଟେଲାଇଟ୍ ସମେତ ଏକାଧିକ ପିଏସ୍ଏଲଭି ଏବଂ ଜିଏସ୍ଏଲଭି ମିଶନ କାର୍ଯ୍ୟକାରୀ ହେବ । ଭାରତୀୟ ଶିଳ୍ପ ଦ୍ୱାରା ପ୍ରଥମ ପିଏସ୍ଏଲଭି ସମ୍ପୂର୍ଣ୍ଣ ନିର୍ମାଣ ହେବାକୁ ଯାଉଛି । ଚନ୍ଦ୍ରୟାନ-୪ ମିଶନକୁ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଛନ୍ତି । ଏହି ମିଶନରେ ଚନ୍ଦ୍ରପୃଷ୍ଠରୁ ନମୁନା ଆଣି ଚନ୍ଦ୍ରୟାନ ଫେରିବା ଯୋଜନା ରହିଥିବାରୁ ଏହା ଦେଶର ସବୁଠୁ ଜଟିଳ ଚନ୍ଦ୍ର ଅଭିଯାନ ବୋଲି ନାରାୟଣନ କହିଛନ୍ତି । ଆଉ ଏକ ମୁଖ୍ୟ ମିଶନ ହେଲା ଲୁପେକ୍ସ, ଯାହାକି ଏକ ମିଳିତ ଚନ୍ଦ୍ର ମେରୁ ଆବିଷ୍କାର କାର୍ଯ୍ୟକ୍ରମ । ଜେଏଏକ୍ସଏ (ଜାପାନ ଏରୋସ୍ପେସ୍ ଏକ୍ସପ୍ଲୋରେଶନ ଏଜେନ୍ସି) ସହ ଇସ୍ରୋ ମିଳିତ ଭାବେ ଏହି ମିଶନ ଦିଗରେ କାର୍ଯ୍ୟ କରୁଛି ।

Leave a Reply

Your email address will not be published. Required fields are marked *