ସୁପର ସନଡ଼େ ସୁପର ମୁକାବିଲା

ନୂଆଦିଲ୍ଲୀ : ଆଉ କିଛି ମୁହୂର୍ତ୍ତର ଅପେକ୍ଷା । ବିଶ୍ୱକପ୍‌ ମଞ୍ଚରେ ମୁହାଁମୁହିଁ ହେବେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦୀ । ମହିଳା ଟି-୨୦ ବିଶ୍ୱକପ୍‌ରେ ଆଜି ଖେଳାଯିବ ହାଇଭୋଲଟେଜ୍‌ ମ୍ୟାଚ୍‌ । ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯିବ ମହାମୁକାବିଲା ।ଦୁବାଇ ଇଣ୍ଟର ନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ୍‌ । ଚଳିତ ମହିଳା ଟି-୨୦ ବିଶ୍ୱକପ୍‌ରେ ଭାରତ ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡଠାରୁ ୫୪ ରନ୍‌ରେ ହାରିଥିଲା । ତେଣୁ ଆଜିର ମ୍ୟାଚ୍‌ ଭାରତ ପାଇଁ କର ବା ମର ସ୍ଥିତି ସୃଷ୍ଟି କରିବ । ପାକିସ୍ତାନକୁ ପରାସ୍ତ କରି ବିଶ୍ୱକପ୍‌ ସେମିଫାଇନାଲ ରେସ୍‌ରେ ରହିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ । ଅନ୍ୟପଟେ ପାକିସ୍ତାନ ତା’ର ପ୍ରଥମ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା । ତେଣୁ ଆଜିର ମ୍ୟାଚରେ ଭାରତକୁ ପରାସ୍ତ କରି ପଏଣ୍ଟ ଟେବୁଲରେ ନିଜ ସ୍ଥିତି ଦୃଢ଼ କରିବାକୁ ଚେଷ୍ଟା କରିବ ପାକିସ୍ତାନ । ଉଭୟ ଦଳର ରେକର୍ଡ ଦେଖିଲେ ଭାରତର ପଲା ଭାରି ରହିଛି। ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ୧୫ଟି ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ ମଧ୍ୟରୁ ଭାରତ ୧୨ଟି ମ୍ୟାଚରେ ବିଜୟଲାଭ କରିଛି । ଉଭୟଙ୍କ ମଧ୍ୟରେ ଶେଷ ମ୍ୟାଚ୍ ମହିଳା ଏସିଆ କପ୍ ୨୦୨୪ରେ ଖେଳାଯାଇଥିଲା । ଯେଉଁଥିରେ ଭାରତୀୟ ଦଳ ସାତ ୱିକେଟ୍ ଜିତିଥିଲା । ସେହିପରି ମହିଳା ଟି-୨୦ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସାତୋଟି ମ୍ୟାଚ୍ ଖେଳାଯାଇଛି । ସେଥିମଧ୍ୟରୁ ଭାରତ ୫ଟି ଓ ପାକିସ୍ତାନ ଦୁଇଟି ମ୍ୟାଚ୍‌ରେ ଜିତିଥିଲା ।

Leave a Reply

Your email address will not be published. Required fields are marked *