ଚଳିତ ନିର୍ବାଚନ ପରେ ସୋମବାର ଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ଅଧିବେଶନ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କଂଗ୍ରେସ ବିଧାୟକ ଦଳର ନେତା କିଏ ହେବେ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇପାରିନାହିଁ। ଏହି ବିଧାୟକ ଦଳ ନେତା ଦୌଡ଼ରେ ଏବେ ତାରା ପ୍ରସାଦ ବାହିନୀପତିଙ୍କ ନାଁ ଆଗରେ ଥିବା ସବୁଠାରୁ ଚର୍ଚ୍ଚା ହେଉଛି । ତେବେ ଏହି ଚର୍ଚ୍ଚା ପ୍ରସଙ୍ଗରେ ଆଜି ଏନେଇ ସେ ନିଜ ପ୍ରତିକ୍ରିୟା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। କଂଗ୍ରେସ ବିଧାୟକ ଦଳର ନେତା ପ୍ରସଙ୍ଗରେ ସେ କହିଛନ୍ତି, କେନ୍ଦ୍ରୀୟ ନେତୃତ୍ୱ ଯାହା ନିଷ୍ପତ୍ତି ନେବେ ତାକୁ ସେ ଗ୍ରହଣ କରିବେ । ଆସନ୍ତାକାଲିଠାରୁ ବିଧାନସଭା ଅଧିବେଶନ ଆରମ୍ଭ ହେବ । ଏହାପୂର୍ବରୁ ଆଜି ସର୍ବଦଳୀୟ ବୈଠକ ପୂର୍ବାହ୍ନ ୧୧ରେ ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ବସିବ ।
ବିଧାନସଭାରେ ବଜେଟ ଅଧିବେଶନକୁ ସୁରୁଖୁରରେ ପରିଚାଳନା ଲାଗି ବାଚସ୍ପତି ସମସ୍ତ ବିରୋଧୀଦଳଙ୍କ ସହଯୋଗ ଲୋଡିବେ । ଏହାସହ ସରକାରୀ ଦଳର ମୁଖ୍ୟ ସଚେତକ ଏବଂ ଉପ ମୁଖ୍ୟ ସଚେତକ ନିଯୁକ୍ତ ହେବେ । ସେହିପରି ଆସନ୍ତା ୨୩ ତାରିଖରେ ଉପବାଚସ୍ପତି ନିର୍ବାଚନ ଲାଗି ନାମାଙ୍କନ ପତ୍ର ଦାଖଲ ହେବ । ଏବଂ ସେହିଦିନ ମଧ୍ୟାହ୍ନ ୧୨ଟା ସୁଦ୍ଧା ନାମାଙ୍କନ ଦାଖଲ କରାଯିବ । ୨୪ ତାରିଖରେ ଫଳାଫଳ ଘୋଷଣା କରାଯିବ । ୨୫ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାର ତାଙ୍କର ପ୍ରଥମ ବଜେଟ ବିଧାନସଭାରେ ଉପସ୍ଥାପନ କରିବେ । ଅର୍ଥ ବିଭାଗକୁ ନିଜ ପାଖରେ ରଖିଥିବାରୁ ମୁଖ୍ୟମନ୍ତ୍ରୀ ନିଜେ ଗୃହରେ ଏହି ବଜେଟ ଉପସ୍ଥାପନ କରିବେ ।