ଏକା ତାରିଖରେ ଚାଲିଗଲେ ହ୍ୟୁମାନ ଓ ଅକ୍ଷୟ ମହାନ୍ତି

ଭୁବନେଶ୍ଵର: ସେଦିନ ଥିଲା ୧୭ ନଭେମ୍ବର ୨୦୦୨। ସେହି ଦିନ ଆଖି ବୁଜିଥିଲେ ଚିରସବୁଜ ଗାୟକ ଅକ୍ଷୟ ମହାନ୍ତି । ସଙ୍ଗୀତ ଜଗତର ବାଦଶାହା ଅକ୍ଷୟ ମହାନ୍ତି ତାଙ୍କ ଜୀବନ କାଳ ମଧ୍ୟରେ ଶତାଧିକ ସିନେମାରେ କଣ୍ଠଦାନ କରିବା ସହ ୬ ରୁ ଅଧିକ ଓଡ଼ିଆ ଛବିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ଖାଲି ସେତିକି ନୁହେଁ, ସେ ଅନେକ କମର୍ସିଆଲ୍ ରେକର୍ଡରେ ବି ସ୍ୱର ସଂଯୋଜନା କରିଥିଲେ । ଗତକାଲି ଥିଲା ୧୭ ନଭେମ୍ବର ୨୦୨୫ । ସେଦିନ ଓଡ଼ିଆ ସଙ୍ଗୀତ ଜଗତର ପ୍ରତିଷ୍ଠିତ ଗାୟକ ହ୍ୟୁମାନ ସାଗର ଶେଷ ନିଶ୍ଵାସ ତ୍ୟାଗ କରିଲେ । ସେ ଶତାଧିକ ସିନେମାରେ କଣ୍ଠଦାନ କରିବା ସହ ବହୁ ଆଲବମ୍ ଗୀତ ବି ଗାଇଥିଲେ । ଦୁଇଜଣ ନିଜ ନିଜ ସମୟର ସର୍ବାଧିକ ଲୋକପ୍ରିୟ ଏବଂ ସର୍ବାଧିକ ପାରିଶ୍ରମିକ ନେଉଥିବା କଳାକାର । ଅକ୍ଷୟ ମହାନ୍ତି ଜୀବନର ଅପରାହ୍ନରେ ଥିଲେ । ହେଲେ କମ୍ ବୟସରେ ହ୍ୟୁମାନ ଆମକୁ ଛାଡ଼ିଗଲେ । ଦୁହିଁଙ୍କ ମଧ୍ୟରେ କେବଳ ଏଇକଥା ସମାନ ଥିଲା ।

ଏଣେ ସ୍ୱାସ୍ଥ୍ୟବସ୍ଥାରେ ଅବନତି ଘଟିବାରୁ ହ୍ୟୁମାନ ସାଗର କଟକର ଏକ ଘରୋଇ ଡାକ୍ତରଖାନାରେ ପ୍ରଥମେ ଭର୍ତ୍ତି ହୋଇଥିଲେ । ଠିକ୍ ତା ପୂର୍ବରୁ ସେ ଏକ ଓଡ଼ିଆ ଛବିର ସଙ୍ଗୀତ ପ୍ରସ୍ତୁତିରେ ବ୍ୟସ୍ତ ଥିଲେ । ‘ଛକି ଶୂନ’ର ମ୍ୟୁଜିକ୍ ସିଟିଂ ବି ଆରମ୍ଭ ହୋଇଥିଲା। ଏପରିକି ସେ ଫିଲ୍ମର ଦୁଇଟି ଗୀତର ସ୍ଵର ଦେବା କାମ ଶେଷ କରିଥିଲେ । ଆହୁରି ତିନିଟି ଗୀତ କାମ ବାକି ରହିଥିବା ବେଳେ ହଠାତ୍ ତାଙ୍କର ଦେହ ଖରାପ ହୋଇଗଲା । ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିୟୋଗ ଘଟିଛି । ହ୍ୟୁମାନ ସାଗର ଭେଣ୍ଟିଲେଟରରେ ଥିଲେ। ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ କୌଣସି ସୁଧାର ଆସି ନଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ଡାକ୍ତରଙ୍କ ଉଦ୍ୟମ ସତ୍ତ୍ୱେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଅତି ଜଟିଳ ରହିଥିଲା। ତାଙ୍କୁ ୭୨ ଘଣ୍ଟା ଅବଜରଭେସନରେ ରଖାଯାଇଥିଲା। ହ୍ୟୁମାନ ସାଗରଙ୍କ ବିୟୋଗ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ । ତାଙ୍କର ବିୟୋଗ ଆମ ସଙ୍ଗୀତ ଓ ସିନେମା ପାଇଁ ଏକ ଅପୂରଣୀୟ କ୍ଷତି । ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କ ଶାନ୍ତି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି।

Leave a Reply

Your email address will not be published. Required fields are marked *