ଉଦଳା: ପଦବୀ ଅଛି କିନ୍ତୁ ଯୋଗ୍ୟତା ନାହିଁ, ପୁଣି ଏ ଘଟଣା ଘଟିଛି ଅଧ୍ୟାପକଙ୍କ କ୍ଷେତ୍ରରେ । କପ୍ତିପଦା ବ୍ଲକ ନୁଦଡିହା ମେଘାସନ ମହାବିଦ୍ୟାଳୟର ଗଣିତ ଅଧ୍ୟାପକ ରୁପେଶ କୁମାର ମହାପାତ୍ରଙ୍କ ଉପରେ ଉଚ୍ଚ ଶିକ୍ଷା ବିଭାଗର ପଡିଛି ଛାଟ । ସେ ୨୦୦୩ ମସିହାରେ ମେଘାସନ କଲେଜରେ ଗଣିତ ଅଧ୍ୟାପକ ଭାବେ ନିଯୁକ୍ତି ପାଇଥିଲେ । ସେ ଏମଏସସି ପାସ କରିଥିଲେ ସୁଦ୍ଧା ଅଧ୍ୟାପକ ପଦବୀ ପାଇଁ ଆବଶ୍ୟକ ୫୫ ପ୍ରତିଶତ ମାର୍କ ରଖି ନ ଥିଲେ । ୫୪.୩ ପ୍ରତିଶତ ମାର୍କ ରଖିଥିବା ସତ୍ତ୍ୱେ ସେ ଅଧ୍ୟାପକ ଭାବେ ନିଯୁକ୍ତି ପାଇଛନ୍ତି । ଏନେଇ ଉଚ୍ଚ ଶିକ୍ଷା ବିଭାଗ ଆରମ୍ଭ କରିଛି ଖୋଳତାଡ଼ । ଅଧ୍ୟାପକ ହେବାର ଯୋଗ୍ୟତା ନ ଥାଇ ୨୦୦୩ ମସିହାରୁ ନିଯୁକ୍ତି ପାଇ ବ୍ଲକ ଗ୍ରାଣ୍ଟରେ ରହି ସରକାରଙ୍କ ସମସ୍ତ ସୁବିଧା ହାସଲ କରି ସରକାରଙ୍କୁ ଠକିଛନ୍ତି । ଯୋଗ୍ୟତା ନଥାଇ ସେ କେମିତି ଲକ୍ଷ ଲକ୍ଷ ଟଙ୍କା ସରକାରଙ୍କଠୁ ଲୁଟିଛନ୍ତି ସେ କଥା ଉଚ୍ଚ ଶିକ୍ଷା ବିଭାଗ ଜାଣିବା ପରେ ସରକାର ଅଧ୍ୟାପକଙ୍କ ପାଇଁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ଅନ୍ୟପଟେ ପ୍ରିନ୍ସିପାଲ କହିଛନ୍ତି, ନିୟମ ଅନୁସାରେ ଆମେ ସବୁ କାଗଜପତ୍ର ଦେଇଛୁ ଉଚ୍ଚ ଶିକ୍ଷା ବିଭାଗ ଯାହା ନିଷ୍ପତ୍ତି ନେବେ । ତଦନ୍ତ ହେଲା ପରେ ହିଁ ଜଣାପଡିବ କାହା କଥା ସତ । ଏନେଇ ଉଚ୍ଚ ଶିକ୍ଷା ବିଭାଗର କଣ ପଦକ୍ଷେପ ରହୁଛି ତାହା ଦେଖିବାକୁ ବାକି ରହିଲା ।
ପଦବୀ ଅଛି କିନ୍ତୁ ଯୋଗ୍ୟତା ନାହିଁ
