ଆଜି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ଆଜି ୭୯ ବର୍ଷ ପୂରି ୮୦ ବର୍ଷରେ ପାଦ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ଅବସରରେ ନବୀନଙ୍କୁ ସବୁ ମହଲରୁ ଛୁଟିଛି ଶୁଭେଚ୍ଛାର ସୁଅ। ନବୀନ ପଟ୍ଟନାୟକ । ୨୫ ବର୍ଷ ଧରି ପ୍ରତି ଓଡ଼ିଆଙ୍କ ଭିତରେ ଗୁଞ୍ଜରିତ ହେଉଥିବା ଏକ ନାଁ । ପିଲାଠୁ ଆରମ୍ଭ କରି ବୁଢା ସମସ୍ତଙ୍କର ନବୀନ ନାମ ପ୍ରତି ରହିଛି ଗଭୀର ଇମୋସନ୍ । ସେ ଦରଦୀ ମଣିଷ । ଜଣେ ଷ୍ଟେଟସ୍ମ୍ୟାନ । ବିଚକ୍ଷଣ ରାଜନେତା । ଦେଶବ୍ୟାପୀ ରାଜନୀତି ପଣ୍ଡିତଙ୍କ ପାଇଁ ନବୀନଙ୍କ ବ୍ୟକ୍ତିତ୍ୱ, କାର୍ୟ୍ୟପ୍ରଣାଳୀ, ନୀତି ନିର୍ଦ୍ଧାରଣ ଯେତିକି ଆକର୍ଷକ; ତାଙ୍କର ଜନମଙ୍ଗଳକାରୀ ଯୋଜନା, ଦୁର୍ନୀତି ବିରୋଧୀ ଶୂନ୍ୟ ସହନଶୀଳତା, ବିପର୍ୟ୍ୟୟ ପରିଚାଳନା, ମହିଳା ସଶକ୍ତିକରଣର ସୂତ୍ର ଅନ୍ୟ ରାଜନୈତିକ ଦଳ ପାଇଁ ବର୍ମୁଡ଼ା ତ୍ରିଭୂଜର ରହସ୍ୟ ପରି ଅବୁଝା ହୋଇ ରହିଛି। ଦୂରଦୃଷ୍ଟିସମ୍ପନ୍ନ ଏବଂ କର୍ମଯୋଗୀ ନବୀନ ପଟ୍ଟନାୟକ ଦୀର୍ଘ ୨୪ ବର୍ଷ ଧରି ନିରନ୍ତର ସେବାର ମୂଳମନ୍ତ୍ର ହେଉଛି ଏକ ସମୃଦ୍ଧ, ସଶକ୍ତ ଓ ସ୍ୱାଭିମାନୀ ନୂତନ ଓଡ଼ିଶା ଗଠନ। ଯାହାପାଇଁ ସେ ଅସମାନତା, ଦୁର୍ନୀତି ଏବଂ ସାମ୍ପ୍ରଦାୟିକତା ବିରୁଦ୍ଧରେ ପଦକ୍ଷେପ ନେଇ ସଶକ୍ତୀକରଣ ଓ ବିକାଶକୁ ହିଁ ପ୍ରାଥମିକତା ଦେଇ ଆସିଥିଲେ । ଯାହାକୁ ନେଇ ଦେଶଠାରୁ ଆରମ୍ଭ କରି ବିଶ୍ୱସ୍ତରରେ ଲଗାତାର ଭାବେ ତାଙ୍କୁ ପ୍ରଶଂସା ମିଳିଛି, ସମ୍ମାନର ସୁଅ ଛୁଟିଛି। ପ୍ରଶଂସକମାନଙ୍କ ପାଇଁ ନବୀନ ଏକ ବିସ୍ମୟ ବ୍ୟକ୍ତିତ୍ୱ, ବିରୋଧୀ ଓ ସମାଲୋଚକମାନଙ୍କ ପାଇଁ ସେ ଚିର ଅବୋଧ୍ୟ। ସାମାଜିକ ଗଣମାଧ୍ୟମରେ ତାଙ୍କର ଅନୁଗାମୀଙ୍କ ସଂଖ୍ୟା ଅକଳନ ଏବଂ ଜାତୀୟ ଗଣମାଧ୍ୟମର ଆକଳନ ଅନୁସାରେ ରାଜ୍ୟରେ ସବୁଠୁ ଲୋକପ୍ରିୟ ହେଉଛନ୍ତି ନବୀନ। ସେବାର ସାଧକଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।
୧୯୪୬ ମସିହା ଅକ୍ଟୋବର ୧୬ ତାରିଖରେ ପିତା ବିଜୟାନନ୍ଦ ପଟ୍ଟନାୟକ, ମାଆ ଜ୍ଞାନ ପଟ୍ଟନାୟକଙ୍କ କୋଳ ମଣ୍ଡନ କରନ୍ତି ନବୀନ । ସେ ଦିନ ଥିଲା ଓଡ଼ିଶା ପାଇଁ ଏକ ଐତିହାସିକ ଦିନ । କଟକ ଆନନ୍ଦ ଭବନରେ ଜନ୍ମ ଗ୍ରହଣ କରିଥିବା ନବୀନ ଦେଶ ବିଦେଶର ସୁନାମଧନ୍ୟ ଶିକ୍ଷାନୁଷ୍ଠାନରେ ପାଠ ପଢିଛନ୍ତି । ବିଜୁ ବାବୁଙ୍କ ଦେହାନ୍ତ ପରେ ପୂର୍ବତନ ଜନତା ଦଳର କିଛି ନେତାଙ୍କ ନେତୃତ୍ୱ ନେଇ ରାଜନୀତିରେ ପାଦ ଥାପିଲେ ନବୀନ ପଟ୍ଟନାୟକ ।
୧୯୯୭ ଡିସେମ୍ବରରେ ଏକ ଆଞ୍ଚଳିକ ଦଳ ଭାବେ ମୁଣ୍ଡ ଟେକିଲା ବିଜୁ ଜନତା ଦଳ । ୧୯୯୮ ଓ ୧୯୯୯ରେ ବିଜେଡିରୁ ଦୁଇ ଦୁଇ ଥର ଲୋକସଭା ନିର୍ବାଚନ ଜିତି କେନ୍ଦ୍ରରେ ମନ୍ତ୍ରୀ ହେଲେ ନବୀନ । ସେବେଠୁ ନବୀନ ହୋଇଯାଇଥିଲେ ଓଡ଼ିଶା ରାଜନୀତିର ଅପ୍ରତିଦ୍ୱନ୍ଦୀ ଜନନାୟକ । ଲଗାତାର ୨୪ ବର୍ଷ ଧରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଲୋକଙ୍କର ସେବା କରିଆସିଛନ୍ତି । ସାରା ବିଶ୍ୱରେ ଓଡିଶାକୁ ପରିଚିତ କରାଇଥିବା ମହାନ ଜନନେତା ହେଉଛନ୍ତି ନବୀନ । ତାଙ୍କ ଦୃଢ ନେତୃତ୍ୱରେ ଓଡ଼ିଶାକୁ ଅଗ୍ରଣୀ କରିଛି । ଶିକ୍ଷାଠୁ ସ୍ୱାସ୍ଥ୍ୟ, ଶିଳ୍ପଠୁ କ୍ରୀଡ଼ା ସବୁ କ୍ଷେତ୍ରରେ ଓଡ଼ିଶା ହାସଲ କରିଛି ସ୍ୱତନ୍ତ୍ର ପରିଚୟ ।
ରାଜ୍ୟର ବିକାଶ ପାଇଁ ନବୀନଙ୍କ ଯୁଗାନ୍ତକାରି ପଦକ୍ଷେପକୁ ବିଶ୍ୱବ୍ୟାଙ୍କ, ନୀତି ଆୟୋଗ, ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଭଳି ଅନ୍ତରାଷ୍ଟ୍ରୀୟ ସ୍ତରର ସଂସ୍ଥା ଓ କେନ୍ଦ୍ର ସରକାର ସ୍ୱୀକୃତି ଦେଇଛନ୍ତି । ନବୀନଙ୍କ ଜୀବନବ୍ୟାପୀ ସାଧନା ସମସ୍ତଙ୍କ ପାଇଁ ପ୍ରେରଣା । ତାଙ୍କ ସେବା ନୀତି ଓ ଓଡ଼ିଶା ପ୍ରତି ଅବଦାନ ରାଜ୍ୟବାସୀଙ୍କ ମନରେ ଲିପିବଦ୍ଧ । ୨୦୨୪ ନିର୍ବାଚନରେ ବିଜେଡି ପରାଜିତ ହୋଇଥିଲେ ମଧ୍ୟ ଏବେ ବି ନବୀନଙ୍କ ଲୋକପ୍ରିୟତା ଅତୁଟ ।
ହାପି ବାର୍ଥଡେ ଟୁ ‘ନବୀନ’
