ଐତିହାସିକ ବିଜୟକୁ ପୁରିଲା ବର୍ଷେ

ନୂଆଦିଲ୍ଲୀ : ଭାରତୀୟ ମହାକାଶ ଗବେଷଣା କ୍ଷେତ୍ରରେ ଇସ୍ରୋର ଐତିହାସିକ ବିଜୟ “ଚନ୍ଦ୍ରଯାନ-୩” କୁ ଆଜି ଏକ ବର୍ଷ ପୁରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘୋଷଣା କ୍ରମେ ସାରା ଦେଶ ଆଜି ପାଳୁନ କରୁଛି ‘ଜାତୀୟ ମହାକାଶ ଦିବସ’ । ଆମେରିକା, ରୁଷ ଓ ଚୀନ ଭଳି ବିକଶିତ ଦେଶ ମାନଙ୍କ ସହିତ ଟକ୍କର ଦେଇ ଭାରତ ପ୍ରଥମ ଥର ପାଇଁ ଚନ୍ଦ୍ରର ଦକ୍ଷିଣ ମେରୁରେ ପ୍ରଥମ ଦେଶ ଭାବେ ଅବତରଣ କରି ସୃଷ୍ଟି କରିଥିଲା ଏକ ନୂଆ ଇତିହାସ। ୨୦୨୩ ମସିହା ଅଗଷ୍ଟ ୨୩ ତାରିଖ ସନ୍ଧ୍ୟା ୬ଟା ବାଜି ୩ ମିନିଟ୍ ରେ ୧୭ ମିନିଟର ଆହ୍ବାନପୂର୍ଣ୍ଣ ଅବତରଣ, ଏବଂ ଆତଙ୍କପୂର୍ଣ୍ଣ ସେଇ ଶେଷ ୪ ମିନିଟକୁ ସଫଳତାର ସହ ଅତିକ୍ରମ କରି ନିର୍ଦ୍ଧାରିତ ସ୍ଥାନରେ ଅଟୋମେଟିକ୍ ସଫ୍ଟଲ୍ୟାଣ୍ଡିଂ କରାଇଥିଲା ଇସ୍ରୋ।

ଭାରତୀୟ ମହାକାଶ ଅଭିଯାନର ଜନକ ଭାବରେ ପରିଚିତ ଥିବା ବିକ୍ରମ ସାରାଭାଇ ଦେଖିଥିବା ସ୍ୱପ୍ନ ଏବଂ ଭାରତର ମିଜାଇଲ୍ ମ୍ୟାନ ଭାବେ ପରିଚିତ ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କାଲାମ ମହାକାଶ କ୍ଷେତ୍ରରେ ଯେଉଁ ମୂଳଦୁଆ ପକାଇଥିଲେ ତାହା ଆଜିର ସମୟରେ ଏକ ବିରାଟ ମାଇଲ୍ଖୁଣ୍ଟ ସ୍ଥାପନ କରିଛି । ଭାରତ ଆଜି କେବଳ ମହାକାଶକୁ ଛୁଇଁନି, ବରଂ ଜହ୍ନ ରାଇଜରେ ବି ପାଦ ଥାପିପାରିଛି । ଚନ୍ଦ୍ରଯାନ, ମଙ୍ଗଳଯାନ ସହିତ ସୂର୍ଯ୍ୟଯାନ ଅର୍ଥାତ୍ ଆଦିତ୍ୟ L1 ବି ଭାରତର ଦବଦବା ବଢ଼ାଇଛି ଗ୍ଲୋବାଲ୍ ସ୍ପେଶ୍ କ୍ଲବରେ। ଅଳ୍ପ ଖର୍ଚ୍ଚରେ ସାଟେଲାଇଟ୍ ଛାଡ଼ିବାରେ ଭାରତ ହେଉଛି ଏବେ ନମ୍ବର ୱାନ୍। ଆଗକୁ ୨୦୨୫ ସୁଦ୍ଧା ଗଗନଯାନରେ ମହାକାଶକୁ ମଣିଷ ପଠାଇବା ଏବଂ ୨୦୩୫ ସୁଦ୍ଧା ମହାଶୂନ୍ୟରେ ଭାରତୀୟ ଅନ୍ତରୀକ୍ଷ କେନ୍ଦ୍ର ପ୍ରତିଷ୍ଠା ଏବଂ ୨୦୪୦ ସୁଦ୍ଧା ଜହ୍ନକୁ ମଣିଷ ପଠାଇବାକୁ ଟାର୍ଗେଟ୍ ରଖିଛି ଇସ୍ରୋ ।

Leave a Reply

Your email address will not be published. Required fields are marked *