ଭୁବନେଶ୍ୱର : ପୁଣି ପରୀକ୍ଷାରେ ତ୍ରୁଟି ଅଭିଯୋଗ । ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ନେଇ ସନ୍ଦେହ କଲେ ଛାତ୍ରଛାତ୍ରୀ। ଆଜି ସମଗ୍ର ରାଜ୍ୟରେ OSSC ପରିଚାଳିତ ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ ପରୀକ୍ଷା ଅନୁଷ୍ଠତ ହୋଇଛି। ଏହି ପରୀକ୍ଷା ପାଇଁ ପୂର୍ବାହ୍ନ ସାଢେ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ସମୟ ନିର୍ଦ୍ଧାରଣ କରାଯାଇଥିଲା। ବାଲେଶ୍ୱରର ଗୋପାଳ ଗାଁ ପରୀକ୍ଷା କେନ୍ଦ୍ରରୁ ଆସିଛି ସାଂଘାତିକ ଅଭିଯୋଗ । ପରୀକ୍ଷା ଆରମ୍ଭର ବହୁ ପୂର୍ବରୁ ସିଲ୍ ଖୋଲାଯାଇ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି। ଗୌରହରି ସାହୁ ନାମକ ପରୀକ୍ଷାର୍ଥୀ କରିଥିବା ଅଭିଯୋଗ ଅନୁଯାୟୀ, ପରୀକ୍ଷା ହଲ୍ରେ ବସିଥିବା ସମୟରେ ପ୍ରଶ୍ନପତ୍ର ସିଲ୍ ଖୋଲାଥିବା ଦେଖିବାକୁ ପାଇଲୁ। ଏନେଇ ଅଭିଯୋଗ କରିବାରୁ ପ୍ୟାକେଟ ସେପରି ଆସିଥିବା ଶିକ୍ଷୟିତ୍ରୀ କହିଥିଲେ। ମାତ୍ର ବିଶ୍ୱାସ ନ ହେବାରୁ ସିସି କ୍ୟାମେରା ଦେଖିବାକୁ କହିଥିଲୁ। ସିସିଟିଭିରେ ସାଢେ ୯ଟାରେ ପ୍ରଶ୍ନପତ୍ର ସିଲ୍ ଖୋଲାଥିବା ଦେଖିବାକୁ ପାଇଲୁ। ଏନେଇ ପୁଲିସ୍କୁ ଜଣାଇବାକୁ ଚାହିଁବାରୁ ମୋତେ ବାହାରକୁ ଛାଡ଼ିଲେନି କି କଲ୍ କରିବାକୁ ମଧ୍ୟ ଦେଲେନି। ଏପରିକି ସେମାନେ ମୋତେ ଗୋଟିଏ ରୁମ୍ରେ ଅଟକ ରଖିବାରୁ ମୁଁ ପରୀକ୍ଷା ଦେବାରୁ ବଞ୍ଚିତ ହେଲି ବୋଲି କହିଥିଲେ। ମାତ୍ର କଲେଜ ସୁପରିଣ୍ଟେଣ୍ଡେଣ୍ଟ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଛାତ୍ରଜଣକ ମିଥ୍ୟା ଅଭିଯୋଗ କରିଛନ୍ତି। ତାଙ୍କୁ ଅଟକ ରଖାଯାଇନି କି ପରୀକ୍ଷା ଦେବାରୁ ବଞ୍ଚିତ କରାଯାଇନି ବୋଲି କଲେଜ ସୁପରିଣ୍ଟେଣ୍ଡେଣ୍ଟ କହିଛନ୍ତି ।
