ବୌଦ୍ଧ ଜିଲ୍ଲାରେ ଅବୈଧ ବାଲି ଉତ୍ତୋଳନ ନେଇ ପ୍ରଶାସନ ପୁରା ଆକ୍ସନ ମୁଡ଼ରେ । ଶନିବାର ରାତିରେ ବୌଧ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ଓ ଜିଲ୍ଲା ପୋଲିସ ଅଧିକ୍ଷକ ରାହୁଲ ଗୋଏଲଙ୍କ ନେତୃତ୍ୱରେ ମନମୁଣ୍ଡା ଥାନା ଅଧୀନ କର୍ଲା ଘାଟ ଉପରେ ମିଳିତ ଚଢ଼ାଉ ହୋଇଥିଲା। ଚଢ଼ାଉ ସମୟରେ ଦୁଇଟି JCB ଏବଂ ଚାରିଟି ଟ୍ରାକ୍ଟର ଜବତ କରି ପୋଲିସ ଥାନାକୁ ଆଣାଯାଇଛି। ଏହି ଘାଟରେ ବିନା ଅନୁମତିରେ ଓ ରାତିରେ ବାଲି ଉତ୍ତୋଳନ ଚାଲିଥିଲା। ପ୍ରଶାସନ ଟିମ ଅଚାନକ ରେଡ କରିବା ସମୟରେ ଚାଳକମାନେ ଏବଂ ଅନ୍ୟାନ୍ୟ ଜଡିତ ବ୍ୟକ୍ତିମାନେ ଘଟଣାସ୍ଥଳରୁ ପଳାଇଯାଇଥିଲେ। ଯାନ ଓ ଯନ୍ତ୍ରପାତି ଜବତ କରି ପୋଲିସ ତଦନ୍ତ ଆରମ୍ଭ କରିଛି। ଏବଂ ଖଣି ବିଭାଗ ଅଧିକାରୀଙ୍କ କହିବା ଅନୁସାରେ, କର୍ଲା ଘାଟ ପାଇଁ କୌଣସି ଅନୁମତି ଦିଆଯାଇନଥିଲା। ଜିଲ୍ଲାପାଳ ଓ ଏସପିଙ୍କ ଏହି ଅଚାନକ ଚଢ଼ାଉ ଫଳରେ ଜିଲ୍ଲାର ଅନ୍ୟାନ୍ୟ ଅବୈଧ ବାଲି ଘାଟ ଚାଳକମାନେ ମଧ୍ୟ ଭୟଭୀତ ହୋଇଥିବା ଜଣାପଡ଼ିଛି । ଏପଟେ ଅନୁମତି ବିନା ବାଲି ଉତ୍ତୋଳନ କଲେ କଠୋର ଆଇନ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରଶାସନ ସ୍ପଷ୍ଟ କରିଚି। ଏବଂ ଘଟଣାର ତଦନ୍ତ ଚାଲିଛି ବୋଲି ସୂଚନା ମିଳିଛି ।
