କଟକ: ଆଉ ଗୋଟିଏ ଦିନ ବଢ଼ିଲା କଟକ ବାଲିଯାତ୍ରା। ବିଶ୍ୱ ପ୍ରସିଦ୍ଧ କଟକ ବାଲିଯାତ୍ରାର ଅବଧି ଆଉ ଗୋଟିଏ ଦିନ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ଏହାଦ୍ୱାରା ବାଲିଯାତ୍ରା ଆଜି ୧୨ ତାରିଖ ପରିବର୍ତ୍ତେ ଆସନ୍ତା କାଲି ୧୩ ତାରିଖ ଦିନ ଶେଷ ହେବ। ବାଲିଯାତ୍ରା ପ୍ରତି ସାଧାରଣ ଲୋକଙ୍କ ଆକର୍ଷଣ ଓ ଆଗ୍ରହ ତଥା ମେଳାରେ ବ୍ୟବସାୟୀ ମାନଙ୍କ କାରବାରକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ଏହାର ଅବଧି ବୃଦ୍ଧି କରିଛନ୍ତି। କଟକର ଐତିହାସିକ ବାଲିଯାତ୍ରା ଆୟୋଜନ ପାଇଁ ପୂର୍ବରୁ ରାଜ୍ୟ ସରକାର ୨ କୋଟି ଟଙ୍କା ପ୍ରଦାନ କରୁଥିଲେ। କିନ୍ତୁ ଚଳିତ ବର୍ଷଠାରୁ ବାଲିଯାତ୍ରା ପାଇଁ ୧୦ କୋଟି ଟଙ୍କା ପ୍ରଦାନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିରୁ ୫ କୋଟି ଟଙ୍କା ଦିଆସରିଥିବା ବେଳେ ଅବଶିଷ୍ଟ ଟଙ୍କା ପ୍ରଦାନ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ବାଲିଯାତ୍ରାକୁ ଉଦ୍ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ନନ୍ଦିକେଶରୀ ପଠାର ବିକାଶ କରାଯାଇ ସେଠାକୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରାଯିବ। ଆସନ୍ତା ବାଲିଯାତ୍ରା ପୂର୍ବରୁ ଏହି କାର୍ଯ୍ୟ ସରିବ। ସାବରମତୀ ଢାଞ୍ଚାରେ ମହାନଦୀ ରିଭର୍ ଫ୍ରଣ୍ଟ ନିର୍ମାଣ କରାଯିବ। ମହାନଦୀ ରିଭର୍ ଫ୍ରଣ୍ଟ ପାଇଁ ରାଜ୍ୟ ସରକାର ୨ଶହ କୋଟି ଟଙ୍କା ବ୍ୟୟବରାଦ କରିଥିବା ବେଳେ ପ୍ରାରମ୍ଭିକ ପର୍ଯ୍ୟାୟରେ ଏଥି ପାଇଁ ୩୮କୋଟି ପ୍ରଦାନ କରାଯାଇଛି। କଟକ, ଭୁବନେଶ୍ୱର, ଖୋର୍ଦ୍ଧା, ବାଙ୍କିକୁ ସଂଯୋଗ କରୁଥିବା ୧୧୧ କିଲୋମିଟର ରାସ୍ତା ୬ଲେନ୍ ବିଶିଷ୍ଟ ହେବ ବୋଲି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ।
ଆଉ ଗୋଟିଏ ଦିନ ବୃଦ୍ଧି ହେଲା କଟକ ବାଲିଯାତ୍ରା
