ହରିୟାଣା : ଆସନ୍ତା ଅକ୍ଟୋବର ୫ରେ ହରିୟାଣାରେ ଅନୁଷ୍ଠିତ ହେବାକୁ ଯାଉଛି ବିଧାନସଭା ନିର୍ବାଚନ ହେବ। ଆଉ ଏଥିପାଇଁ ସବୁ ରାଜନୈତିକ ଦଳ ମାନେ ନିଜ ନିଜର ରଣନୀତି ଆରମ୍ଭ କରିଦେଲେଣି। ଚଳିତ ଲୋକସଭା ନିର୍ବାଚନରେ ଆପ୍ ଏବଂ କଂଗ୍ରେସ ଦଳର ମେଣ୍ଟ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ସତ୍ତ୍ୱେ ବିଧାନସଭାରେ ମଧ୍ୟ ପୁଣି ଉଭୟ ଏକାଠି ହୋଇ ଲଢିବା ନେଇ ବିଶେଷ ସୂତ୍ରରୁ ପ୍ରକାଶ ପାଇଛି । ସୂଚନା ଅନୁସାରେ, ଗତକାଲି ଦିଲ୍ଲୀରେ କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଆଉ ଏହି ବୈଠକରେ ଆସନ୍ତା ନିର୍ବାଚନ ପାଇଁ ଲଢ଼ିବା ପାଇଁ ଯାଉଥିବା ପ୍ରାର୍ଥୀ ମାନଙ୍କ ନାମ ଉପରେ ଆଲୋଚନା କରାଯାଇଥିଲା। କଂଗ୍ରେସ ୩୦ରୁ ଅଧିକ ନାମ ଚୂଡାନ୍ତ କରିସାରିଥିବା ସହ ଆସନ୍ତାକାଲି ଘୋଷଣା କରିପାରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା। ହରିୟାଣାରେ ଆମ୍ ଆଦମୀ ପାର୍ଟି (ଆପ୍) ସହ ମେଣ୍ଟ ବାବଦରେ ରାହୁଲ ଗାନ୍ଧୀ ତାଙ୍କ ଦଳର ବରିଷ୍ଠ ନେତାଙ୍କ ମାନଙ୍କ ଠାରୁ ମତ ଲୋଡିଛନ୍ତି। କିନ୍ତୁ ଦଳ ଏନେଇ କୌଣସି ଘୋଷଣା କରି ନଥିବାବେଳେ ବିଶେଷ ସୂତ୍ରରୁ ଆପ୍ 20ଟି ଆସନ ଦାବି କରୁଛି ବୋଲି ସୂଚନା ମିଳୁଛି । ଯଦି ଆପ୍ ସହ କଂଗ୍ରେସ ଏଭଳି ଚୁକ୍ତି କରେ ତେବେ ହରିୟାଣା ବିଧାନସଭା ନିର୍ବାଚନରେ କଂଗ୍ରେସ-ଆପ୍ ମିଳିତ ଭାବେ ଏଥର ନିର୍ବାଚନ ଲଢିବେ।
