ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଗୋରୁ ଚାଲାଣ

ମୟୁରଭଞ୍ଜ: ବେଆଇନ ଭାବରେ ଓଡିଶାରୁ ପଶ୍ଚିମବଙ୍ଗକୁ ଗୋରୁ ଚାଲାଣ ହେଉଥିବା ବେଳେ ଶହେରୁ ଅଧିକ ଗୋରୁ ଅଟକ ରଖିଲେ ଗ୍ରାମବାସୀ । ସୁଚନା ଅନୁଯାୟୀ, ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଖୁଣ୍ଟା ଅଞ୍ଚଳରୁ ସକାଳେ ଶହେରୁ ଅଧିକ ଗୋରୁ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ସଦାନନ୍ଦପୁର ଗାଁ ଦେଇ ପଶ୍ଚିମବଙ୍ଗ ନେଉଥିବା ବେଳେ ଗ୍ରାମବାସୀ ଗୋରୁ ସହିତ ବେପାରୀକୁ ଅଟକ ରଖିଥିଲେ । ପ୍ରତି ସୋମବାର ଏହି ରାସ୍ତା ଦେଇ ହଜାର ହଜାର ଗୋରୁ ପଶ୍ଚିମବଙ୍ଗକୁ ଚାଲାଣ ହେଉଛି । ପୋଲିସ ପ୍ରଶାସନ ସବୁ ଜାଣି ମଧ୍ୟ ଚୁପ୍ ରହୁଥିବା ଅଭିଯୋଗ ହୋଇଛି । ପ୍ରତ୍ୟେକ ଦିନ ଜାତୀୟ ରାଜପଥରେ କଣ୍ଟେନର ଏବଂ ଟ୍ରକରେ ଗୋରୁ ବୋଝେଇ କରି ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ଏବେ ମାଫିଆମାନେ ପୋଲିସ ଚେକିଂ ରୁ ବର୍ତ୍ତିବା ପାଇଁ ଅଭିନବ ଉପାୟରେ ଗୋରୁ ପଲକୁ ଚଲେଇ ଚଲେଇ ରାଜ୍ୟ ପାର କରୁଛନ୍ତି । ତେବେ ଏତେ ସଂଖ୍ୟକ ଗୋରୁ ପଲ ଚଲାଇ ନେଇ ଯାଉଥିବା ବେଳେ ଗ୍ରାମବାସୀ ଅଟକାଇବାରୁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଖବର ପାଇ ବସ୍ତା ପୋଲିସ ଘଟଣା ସ୍ଥଳରେ ପହଁଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଗୋରୁ ଗୁଡିକ ଗୋଶାଳାକୁ ପଠାଇ ଅଧିକ ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *