ନୂଆଦିଲ୍ଲୀ : ଦମଦାର ବିଜୟ ହାସଲ କଲା ଭାରତ । ପର୍ଥରେ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ମ୍ୟାଚ୍ ରେ ଘରୋଇ ମାଟିରେ ଅଷ୍ଟ୍ରେଲିଆକୁ ୨୯୫ ରନରେ ପରାସ୍ତ କରିଛି ବୁମରା ବାହିନୀ । ଫଳରେ ଏହି ଟେଷ୍ଟ ସିରିଜରେ ୧ -୦ ରେ ଆଗରେ ରହିଛି ଭାରତ। ଅଷ୍ଟ୍ରେଲିଆର ପର୍ଥରେ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳା ଯାଇଥିଲା। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପ୍ରଥମରୁ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା। ପ୍ରଥମ ଇନିଂସରେ ଦଳ ମାତ୍ର ୧୫୦ ରନରେ ଅଲ୍ ଆଉଟ୍ ହୋଇ ଯାଇଥିଲା। ଫଳରେ ଭାରତର ପରାଜୟ ହେବା ନେଇ ଆକଳନ କରାଯାଉଥିଲା। କିନ୍ତୁ ବୋଲର ମାନେ ଆଶାର ସଂଚାର ସୃଷ୍ଟି କରିଥିଲେ। ଘରୋଇ ଦଳକୁ ପ୍ରଥମ ଇନିଂସରେ ୧୦୪ ରନରେ ଅଲ୍ ଆଉଟ୍ କରିଦେଇଥିଲେ । ଏହାପରେ ଦ୍ୱିତୀୟ ପାଳିରେ ଜାଦୁ ଦେଖାଇଥିଲେ ଷ୍ଟାର୍ ଓପନର୍ ଯଶସ୍ୱୀ ଜୈସ୍ୱାଲ ସେ ୧୬୧ ରନର ବଡ଼ ପାଳି ଖେଳିଥିଲେ। ତାଙ୍କ ସହ ଓପନିଂ କରିଥିବା କେଏଲ ରାହୁଲ ମଧ୍ୟ ୭୭ ରନ୍ କରି ଥିବାବେଳେ ବିରାଟ କୋହଲି ଅପରାଜିତ ରହି ଶତକୀୟ ପାଳି ଖେଳିଥିଲେ। ୬ ୱିକେଟ ବିନିମୟରେ ୪୮୭ ରନ୍ କରି ପାଳି ଘୋଷଣା କରିଥିଲା ଟିମ୍ ଇଣ୍ଡିଆ। ଫଳରେ କଙ୍ଗାରୁ ବାହିନୀ ଆଗରେ ୫୩୪ ରନର ଟାର୍ଗେଟ ରହିଥିଲା। ଆଜି ଚତୁର୍ଥ ଦିନରେ ଅବଶିଷ୍ଟ ୱିକେଟ୍ ହରାଇ ୨୨୬ ରନ୍ କରିବାକୁ ସକ୍ଷମ ହୋଇଥିଲା ଅଷ୍ଟ୍ରେଲିଆ । ଫଳରେ ଏହି ମ୍ୟାଚକୁ ୨୯୫ ରନର ବିଶାଳ ବ୍ୟବଧାନରେ ଜିତି ନେଇଛି ଟିମ୍ ଇଣ୍ଡିଆ।
