ଉପ ବାଚସ୍ପତି ପ୍ରାର୍ଥୀ ଘୋଷଣା କଲା ବିଜେପି

ଓଡିଶା ବିଧାନସଭାର ବଜେଟ ଅଧିବେଶନର ଆଜି ହେଉଛି ଦ୍ୱିତୀୟ ଦିନ | ଦ୍ୱିତୀୟ ଦିନରେ ଭାରତୀୟ ଜନତା ପାର୍ଟି ଉପ ବାଚସ୍ପତି ପ୍ରାର୍ଥୀ ଘୋଷଣା କରିଛି। ରଣପୁରର ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି ହେବା ପରେ ଉପ ବାଚସ୍ପତି ପଦ ଏବେ ଖାଲି ପଡ଼ିଥିଲା। ତେଣୁ ଆଜି ବିଜେପି ତଳସରା ନିର୍ବାଚନ ମଣ୍ଡଳୀର ବିଧାୟକ ଭବାନୀ ଭୋଇଙ୍କୁ ବିଧାନ ସଭାର ଉପ ବାଚସ୍ପତି ପ୍ରାର୍ଥୀ କରିଛି। ବିଧାନସଭା ସଚିବଙ୍କ ପାଖରେ ଭବାନୀ ଆଜି ନିଜର ପ୍ରାର୍ଥୀପତ୍ର ଦାଖଲ କରିବେ। ତେବେ ଏ ପର୍ଯ୍ୟନ୍ତ ବିରୋଧୀ ଦଳ ବିଜେଡି ଉପ ବାଚସ୍ପତି ପାଇଁ କାହାକୁ ବି ପ୍ରାର୍ଥୀ କରିନାହିଁ। ଆସନ୍ତାକାଲି ଅର୍ଥାତ ଜୁଲାଇ ୨୪ ତାରିଖରେ ବିଧାନସଭାରେ ଉପ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ଭବାନୀ ଭୋଇ ତଳସରା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଦୁଇ ଦୁଇ ଥର ବିଜେପି ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ୨୦୧୯ ରେ ଭବାନୀ ବିଜେଡି ବିଧାୟକ ପ୍ରାର୍ଥୀ ଷ୍ଟିଫେନ ୱିଲସନ ସୋରେଙ୍ଗଙ୍କୁ ପ୍ରାୟ ୧୫ ହଜାର ଭୋଟରେ ପରାସ୍ତ କରିଥିବା ବେଳେ ୨୦୨୪ରେ ମଧ୍ୟ ବିଜେଡି ପ୍ରାର୍ଥୀ ବିନୟ କୁମାର ଟାପୁଙ୍କୁ ପ୍ରାୟ ୧୭ ହଜାର ଭୋଟରେ ପରାସ୍ତ କରିଥିଲେ।

Leave a Reply

Your email address will not be published. Required fields are marked *