ଭଦ୍ରକ: ଭାଇ ଚାରାର ସହର ଭଦ୍ରକରେ ପାଳିତ ହେଉଛି ଗଣେଶ ପୂଜା । ତେବେ ଦୀର୍ଘ ୫୦୦ ବର୍ଷରୁ ଅଧିକ ସମୟ ଧରି ଗଣପତିଙ୍କ ଏହି ନିଆରା ପରମ୍ପରାକୁ ପାଳି ଆସୁଛନ୍ତି ଭଦ୍ରକରବାସୀ । ବିଘ୍ନ ବିନାଶକ ଶ୍ରୀ ଗଣେଶ ଶିଶୁ ରୂପେ ସେ ପିଲା ଗଣେଶ, ଯୁବାବସ୍ଥାରେ ସେ ଟୋକା ଗଣେଶ ଓ ବୃଦ୍ଧାବସ୍ଥାରେ ସେ ବୁଢା ଗଣେଶ ଭାବେ ତାଙ୍କର ପୂଜାର୍ଚନା କରାଯାଉଛି । ତେବେ ବାବା ବୁଢା ଗଣେଶଙ୍କ ମଣ୍ଡପ ବହୁ ପୁରାତନ । ପ୍ରତ୍ୟକ ବର୍ଷ ବୁଢା ଗଣେଶଙ୍କ ମୂର୍ତ୍ତି ସମାନ ଭାବେ ଗଢା ହେବା ହିଁ ଏହି ମଣ୍ଡପର ସ୍ୱତନ୍ତ୍ରତା । ଏଥିସହ ମାନସିକ ପୂଜା କରି ନଡିଆ ଅର୍ପଣ କଲେ ସମସ୍ତ ମନୋସ୍କାମନା ପୂରଣ ହେବା ନେଇ ବିଶ୍ୱାସ ରହିଛି । ବାବା ଏକ ମାସ ଧରି ମଣ୍ଡପରେ ବିରାଜିତ ହୁଅନ୍ତି । ପବିତ୍ର ସାଳନ୍ଦୀ ନଦୀରୁ ଜଳ ଆଣି ମଣ୍ଡପରେ କଳସ ସ୍ଥାପନ ପରେ ବୁଢା ଗଣେଶଙ୍କର ପୂଜା ଆରମ୍ଭ ହୋଇଛି । ପ୍ରସିଦ୍ଧ ଚାନ୍ଦି ମେଢରେ ସଜେଇ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଟୋକା ଗଣେଶ । ସେହିପରି ଭଦ୍ରକ କୁଆଁସ ପୂଜା ମଣ୍ଡପରେ ପିଲା ଗଣେଶଙ୍କୁ ପୂଜା କରାଯାଉଛି । ମାସେ ଧରି ଆମିଷ ନଖାଇ ପିଲା ଗଣେଶଙ୍କୁ ପୂଜା କରିବେ ଏଠାକାର ବାସିନ୍ଦା । ପିଲା ଗଣେଶ କମିଟି ଏଥର ପୂଜା ପାଇଁ ତୋରଣକୁ ବେଶ ଆକର୍ଷଣୀୟ ଢଙ୍ଗରେ ସଜାଇଛନ୍ତି । ତେବେ ଏହି ତିନି ଗଣେଶଙ୍କ ପୂଜା ସହିତ ଭଦ୍ରକରେ ଯୋଡି ହୋଇଛି ବାଲ ଗଣେଶ । ସବୁ ପୂଜା ମଣ୍ଡପରେ ସ୍ୱତନ୍ତ୍ର ଭାବେ ଗଜାନନଙ୍କୁ ପୂଜା କରାଯାଉଛି । ତେବେ ଚଳିତ ବର୍ଷ ବେଶ ଆଡମ୍ବରର ସହିତ ପାଳନ ହେଉଛି ଏହି ପୂଜା । ଏହି ସମୟରେ ଥିବା ସମସ୍ତ ପର୍ବପର୍ବାଣି ମଧ୍ୟ ସେଠାରେ ପାଳିତ ହୁଏ । ଏଥିପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ ଭାବେ ପ୍ରସ୍ତୁତି ହୋଇଛି । ଏହି ତିନି ଗଣେଶଙ୍କ ଭସାଣି ଉତ୍ସବ କିପରି ଶାନ୍ତି ଶୃଙ୍ଖଳାର ସହ ଶେଷ ହେବ ସେଥିପ୍ରତି ପ୍ରଶାସନ ପକ୍ଷରୁ ନିଷ୍ପତି ଗ୍ରହଣ କରାଯାଇଛି ବୋଲି କହିଛନ୍ତି ଭଦ୍ରକ ଏସପି । ମାସକ ପରେ ଏହି ତିନି ଗଣେଶଙ୍କୁ ବିଦାୟ ଦେବ ଭଦ୍ରକ ସହର । ସେହି ଆକର୍ଷଣୀୟ ଭସାଣି ଉତ୍ସବକୁ ଦେଖିବା ପାଇଁ ଅନାଇ ରହିଛନ୍ତି ସହରବାସୀ ।
ଗଣେଶ ପୂଜା ପାଇଁ ଚଳଚଞ୍ଚଳ ଭଦ୍ରକ ସହର
